ଓଟିଭିରୁ ହଠାତ କାହିଁକି ଇସ୍ତଫା ଦେଲେ ସାମ୍ବାଦିକ ରମେଶ ରଥ ? ଅନେକ କଳ୍ପନାଜଳ୍ପନା , ଅନେକ ପ୍ରଶ୍ନ

ଭୁବନେଶ୍ୱର- ବିଭିନ୍ନ ବିବାଦରେ ଛନ୍ଦି ହୋଇ ଭୁଲ୍ କାରଣରୁ ଚର୍ଚ୍ଚାରେ ଥିବା ସାମ୍ବାଦିକ ରମେଶ ରଥଙ୍କ ହଠାତ୍ ଓଟିଭିରୁ ଇସ୍ତଫା ଅନେକ କଳ୍ପନାଜଳ୍ପନା ସୃଷ୍ଟି କରିଛି । ବିଶେଷ କରି ରମେଶଙ୍କ ଇସ୍ତଫା ଓଟିଭି କର୍ତୃପକ୍ଷଙ୍କ ପ୍ରତି ସୃଷ୍ଟି କରିଛି ଅନେକ ପ୍ରଶ୍ନ । ଆଦିବାସୀ ମହିଳା ସାଂସଦ ତଥା ଦେଶର ସର୍ବକନିଷ୍ଠ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗରେ ତାଙ୍କୁ କେନ୍ଦୁଝର ପୋଲିସ ରମେଶ ରଥଙ୍କୁ ପଚରାଉଚୁରା କରିଥିଲା । ରମେଶ ରଥଙ୍କୁ ପୋଲିସ ପଚରାଉଚୁରା କଲା ପରେ ଓଟିଭି କର୍ତୃପକ୍ଷ ଭିକ୍ଟିମ କାର୍ଡ ଖେଳିଥିଲେ । ରାଜ୍ୟ ସରକାରଙ୍କ ବିରୋଧରେ ଟିକଟୀପ୍ପଣୀ କରି ନିଜ ଚ୍ୟାନେଲରେ ଏକାଧିକ  ଖବର ପ୍ରସାରଣ କରିଥିଲେ । ସାମ୍ବାଦିକଙ୍କ ରମେଶ ରଥଙ୍କ ସୁରକ୍ଷା ଆଳରେ ଏକ ପ୍ରକାର ପ୍ରୋପୋଗାଣ୍ଡା ଚଳାଇବାରେ ଆଦୌ କୁଂଠାବୋଧ କରି ନ ଥିଲେ ଓଟିଭି କର୍ତୃପକ୍ଷ । ଏପରିକି ରମେଶଙ୍କ ଗିରଫଦାରି ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଓଟିଭି ପ୍ରମୋଟର ଜଗି ମଙ୍ଗତ ପଣ୍ଡାଙ୍କ ସ୍ୱାମୀ ବୈଜୟନ୍ତ ପଣ୍ଡା ଓଡିଶା    ପୋଲିସକୁ ପାକିସ୍ତାନ       ପୋଲିସ   ସହ ତୁଳନା କରିଥିଲେ । ଏହି ମନ୍ତବ୍ୟ ନେଇ ବେଶ୍ ହୋହଲ୍ଲା ହୋଇଥିଲେ । ବୋଧହୁଏ ଏ ପ୍ରକାର ମନ୍ତବ୍ୟ ଦେଇ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରାଯାଇଥିଲା । ଏସବୁ ମଧ୍ୟରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓଟିଭି କର୍ତୃପକ୍ଷଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବାକୁ ଅନୁରୋଧ କରି ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ । ଫଳରେ ଓଟିଭି କର୍ତୃପକ୍ଷଙ୍କ ଅଡୁଆ ବଢିବାରେ ଲାଗିଥିଲ । ତେବେ ସାମ୍ବାଦିକ ରମେଶଙ୍କ ଗିରଫଦାରୀକୁ ଆଳ କରି କିିଛି ରାଜନୈତିକ ପଏଂଟ ହାସଲ କରିବାକୁ ଉଦ୍ୟମ କରିଥିଲେ ବୈଜୟନ୍ତ ପଣ୍ଡା । କିନ୍ତୁ ସଫଳତା ମିଳିଲା ନାହିଁ ।

ଏସବୁ ମଧ୍ୟରେ ସାମ୍ବାଦିକ ରମେଶ ରଥ ତାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି ଗୋଟିଏ ଦୁଇଟି ମନ୍ତବ୍ୟ ଦେଇ ଚୁପ୍ ହୋଇ ବସିଥିଲେ । କିନ୍ତୁ ଗତକାଲି ହଠାତ ଓଟିଭିରୁ ରମେଶ ଇସ୍ତଫା ଦେବା ଏକ ଭିନ୍ନ ପରିସ୍ଥିତି ସୃଷ୍ଟି କରିଛି । ରମେଶ ରଥଙ୍କ ଓଟିଭିରୁ ଇସ୍ତଫା ଦେବାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି । ‘ରାଜ୍ୟରେ ସାମ୍ବାଦିକ ଅସୁରକ୍ଷିତ’ ଥିଓରୀ ବିଫଳ ହେଲା ପରେ ଓଟିଭି କର୍ତୃପକ୍ଷ ରମେଶ ରଥଙ୍କ ଇସ୍ତଫା ପାଇଁ ଏକ ପ୍ରକାର କ୍ଷେତ୍ର ପ୍ରସ୍ତୁତ କରିଥିଲେ କି ? ନା , ରମେଶ ରଥଙ୍କର ହୃଦୟଙ୍ଗମ ହୋଇଥିଲା ଯେ, ସେ ନିଜ ଚ୍ୟାନେଲର ମାଲିକଙ୍କ ଉପରେ ଆଉ ଭରସା କରି ହେବ ନାହିଁ ? ସତରେ କଣ ରମେଶ ରଥଙ୍କ ଓଟିଭି ପ୍ରତି ମୋହଭଙ୍ଗ ହୋଇଛି ନା ଓଟିଭି କର୍ତୃପକ୍ଷ ନିଜକୁ ଆଇନର ଗୋଲକଧନ୍ଦାରୁ ମୁକୁଳାଇବାକୁ ରମେଶଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିନାହାନ୍ତି ତ ? ଏମିତି ଅନେକ ପ୍ରଶ୍ନର ପାହାଡ ଛିଡା ହୋଇଛି ।

Comments are closed.