କୋରୋନା କାଳରେ ରାଜ୍ୟରେ ପ୍ରଥମ ନିର୍ବାଚନ, ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ କାଲି ମତଦାନ, ସମସ୍ତ ପ୍ରସ୍ତୁତି ଶେଷ

ଭୁବନେଶ୍ୱର- ଆସନ୍ତାକାଲି ତିର୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ହେବ ମତଦାନ । କୋରୋନା କାଳରେ ରାଜ୍ୟରେ ହେଉଛି ପ୍ରଥମ ନିର୍ବାଚନ । କଡା କୋଭିଡ କଟକଣା ମଧ୍ୟରେ ଆସନ୍ତାକାଲି ହେବ ମତଦାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀ କହିଛନ୍ତି ଯେ, ଭୋଟରଙ୍କ ସୁବିଧା ପାଇଁ ବୁଖ୍ ସଂଖ୍ୟା ବଢାଯାଇଛି । ପୋଲିଂ ବୁଥଗୁଡିକୁ ସାନିଟାିଜ କରାଯାଉଛି । ଭୋଟରମାନେ ସାମାଜିକ ଦୂରତା ରଖି ଭୋଟ ଦେବେ ।

ତିର୍ତୋଲରେ ପୋଲିଂ ବୁଥ୍ ସଂଖ୍ୟା ୨୬୫ରୁ ୩୭୨କୁ ବୃଦ୍ଧି କରାଯାଇଛି । ବାଲେଶ୍ୱରରେ ବୁଥ ସଂଖ୍ୟା ୧୯୮ରୁ ୩୪୬କୁ ବୃଦ୍ଧି କରାଯାଇଛି । ମତଦାନ ପୂର୍ବରୁ ସବୁ ଭୋଟରଙ୍କ ସ୍କ୍ରିନିଂ କରାଯିବ । ସବୁ ପୋଲିଂ ଅଫିସର କୋଭିଡି କିଟ ପରିଧାନ କରିବେ । ଭୋଟରଙ୍କ ହାତ ଧୋଇବା ଓ ସାନିଟାଇଜେସନ ପାଇଁ ଆଶାକର୍ମୀ ସହାୟତା କରିବେ । ବାଲେଶ୍ୱରରେ ୪୬ ଓ ତିର୍ତୋଲରେ ୧୫୫ଟି ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ସବୁସ୍ଥାନରେ ସିସିଟିଭି , ଭିଡିଓଗ୍ରାଫି, ମାଇକ୍ରୋଅବଜରଭର ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି । ବହୁସଂଖ୍ୟାରେ ଭୋଟ୍ ଦେବାକୁ ସେ ଅପିଲ୍ କରିଛନ୍ତି ।

ଦୁଇଟିଯାକ ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି । ଆସନ୍ତା ୧୦ ତାରିଖରେ ଭୋଟ୍ ଗଣତି ହେବ ।

Comments are closed.