ଭିକାରୀ ମୁକ୍ତ ହେବ ଶ୍ରୀକ୍ଷେତ୍ର, ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ନିଳାଦ୍ରି ନିଳୟ ଅଭିଯାନ, ବଡଦାଣ୍ଡରୁ ୫୦ରୁ ଅଧିକ ଉଦ୍ଧାର

ପୁରୀ – ଶ୍ରୀକ୍ଷେତ୍ର ସମେତ ସମଗ୍ର ପୁରୀ ଜିଲ୍ଲାକୁ ଭିକାରୀ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଭିକାରୀ ଉଦ୍ଧାର ଅଭିଯାନ । ଏକ୍ରମରେ ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡରୁ ୪ଟି ବର୍ଗରେ ୫୦ରୁ ଅଧିକ ଭିକ୍ଷାବୃତି ଓ ମାନସିକ ବିକୃତ ଲୋକଙ୍କୁ ଉଦ୍ଧାର କରାଯାଇଛି । ଭିକ୍ଷାବୃତି କରୁଥିବା ଲୋକଙ୍କୁ ନିଳାଦ୍ରୀ ନିଳୟଠାରେ ରଖାଯାଇଥିବା ବେଳେ ମାନସିକ ବିକୃତ ଲୋକଙ୍କୁ ନିମାପଡା ମେଂଟାଲ୍ ଇଲ୍ ହୋମକୁ ପଠାଇ ଦିଆଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟ ଯାଂଚ କରାଯାଇ ଔଷଧପତ୍ର ଦିଆଯିବ । ସେମାନଙ୍କର କୋଭିଡ ଟେଷ୍ଟ ମଧ୍ୟ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି । ନିଳାଦ୍ରୀ ନିଳୟ ଯୋଜନା ଅନୁସାରେ ଏହି ଉଦ୍ଧାର ଓ ଥଇଥାନ ଅଭିଯାନ ଆରମ୍ଭ ଚାଲିଛି ।

ଭିକାରୀ ଓ ମସ୍ତିଷ୍କ ବିକୃତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଅନ୍ୟ ଟିମ୍ ଶ୍ରୀମନ୍ଦିର ଚାରିପାଖରେ ପଇଁତରା ମାରିଛି । ବିଭିନ୍ନ ସ୍ଥାନରେ ଭିକ୍ଷାବୃତି କରୁଥିବା ଲୋକ୍ରୁ ପ୍ରଥମେ କାଉନସେଲିଂ କରାଯାଉଛି । ପରେ ସେମାନଙ୍କ ସମ୍ମତିରେ ଉଦ୍ଧାର କରାଯାଉଛି । ଚନ୍ଦନପୁର ସାଣ୍ଡିଆପ୍ , ନିମାପଡାର ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ଅର୍ଗାନାଇଜେସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଏହି ବର୍ଷ ମାର୍ଚ୍ଚ ମାସରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଥିଲା ଭିକ୍ଷା ମୁକ୍ତି ଅଭିଯାନ । ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀକ୍ଷେତ୍ରରେ ୫୩୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୯୮ ଜଣଙ୍କୁ ସହମତିରେ ଘରକୁ ପଠାଇ ଦିଆଯାଇଥିଲା । ୧୦୦ ଜଣଙ୍କୁ ବୃଦ୍ଧାଶ୍ରମକୁ ପଠାଇ ଦିଆଯାଇଥିଲା । ବର୍ତମାନ ୨୪୦ ଜଣ ନିଳାଦ୍ରୀ ନିଳୟରେ ଅଛନ୍ତି । ଏବେ ସର୍ବାଧିକ ମାନସିକ ବିକୃତ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି ।

Comments are closed.