ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ କୋରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା, ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଦୀପାବଳି କଟକଣା ତଦାରଖ କରିବେ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର- ୟୁରୋପ ଓ ଅନ୍ୟ ପାଶ୍ଚାତ୍ୟଦେଶରେ ବର୍ତମାନ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଚାଲିଛି । ଓଡିଶାରେ ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଛି । ତେଣୁ ଏବେଠାରୁ ସତର୍କ ରହିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡାଇବାକୁ ହେଲେ ବିଭିନ୍ନ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ଜାରି ରଖିବାକୁ ହେବ । ଲକଡାଉନ ଭଳି କଠିନ ପରିସ୍ଥିତିକୁ ଏଡାଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତ ଧୋଇବା ନିୟମକୁ ପୂର୍ବପରି ମାନିବାକୁ ପଡିବ ।

ଏବେ ରାଜ୍ୟରେ କୋରୋନା ସଂକ୍ରମଣ ହାର କମିଥିବାରୁ ଓ ସୁସ୍ଥ ହାର ବଢୁଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓନାମ ପର୍ବ ପାଳନ ବେଳେ କେରଳରେ ଉପୁଜିଥିବା ଅବସ୍ଥା ଓ ଦିଲ୍ଲୀର ବର୍ତମାନ ସ୍ଥିତିର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସାମାନ୍ୟ ଢିଲାପଣ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଗତ ପୂଜା ସମୟରେ କୋଭିଡ ନିୟମ ମାନି ଜନସାଧାରଣ ଶୃଙ୍ଖଳା ଓ ସଂଯମ ରକ୍ଷା ପୂର୍ବକ ପର୍ବ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପୂଜା ସମୟରେ ପ୍ରଶାସନ ଓ ପୋଲିସର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ଦୀପାବଳି ଆସୁଥିବାରୁ ସେହିଭଳି ଶୃଙ୍ଖଳା ଓ ସଂଯମ ରକ୍ଷା କରି ପର୍ବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଦୀପାବଳି କଟକଣା ତଦାରଖ କରିବାକୁ ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲାଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କଟକଣାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ସେ ଜିଲ୍ଲାପାଳ ଓ ଏସପିମାନଙ୍କୁ କହିଛନ୍ତି ।

କୋଭିଡରେ ଆକ୍ରାନ୍ତ ବ୍ୟକ୍ତିମାନେ ସୁସ୍ଥ ହେଲା ପରେ ବି ପରବର୍ତୀ ସମୟରେ ସେମାନଙ୍କଠାରେ କେତେକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଥିବା ଜଣାପଡିଛି । ତେଣୁ ସ୍ୱାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ ନଜର ରଖିବା ସହିତ ଉପଯୁକ୍ତ ପ୍ରୋଟୋକଲ୍ ପ୍ରସ୍ତୁତ କରିବା ଓ ଏଥିପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏ ଦିଗରେ ବ୍ୟାପକ ସଚେତନତା ପାଇଁ ବି ସେ ପରାମର୍ଶ ଦେଇଛନ୍ତି ।

କୋଭିଡ ଜନିତ ଆର୍ଥିକ ଶିଥିଳତା ସମୟରେ ଗରିବ ଲୋକମାନେ ଯେପରି ବିଶେଷ ଭାବେ ପ୍ରଭାବିତ ନ ହେବେ, ତାକୁ ଦୃଷ୍ଟିରେ ରଖି ଜୀବିକା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବା ଜାରି ରଖିବା ପାଇଁ ସଂପୃକ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମନରେଗା, ମିଶନ ଶକ୍ତି ଭଳି କାର୍ଯ୍ୟକ୍ରମକୁ ଜାରି ରଖିବା ସହିତ ଗରିବ ଲୋକଙ୍କ ଆର୍ଥିକ ନିରାପତା ଯେପରି ବ୍ୟାହତ ନ ହେବ, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ ଏସଏଲବିସି ବୈଠକ ବେଳେ ମିଶନ ଶକ୍ତି,ଏମଏସଏମଇ ଓ ଚାଷୀମାନଙ୍କୁ ଠିକ୍ ସମୟରେ ଋଣ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ବ୍ୟାଙ୍କମାନଙ୍କୁ ଦେଇଥିବା ପରାମର୍ଶ ସଂପର୍କରେ ମନେ ପକାଇ ଦେଇ ସଂପୃକ୍ତ ବିଭାଗମାନେ ଏହା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଥିଲେ ।
କୋଭିଡ ପରିଚାଳନା ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ, ରାଜ୍ୟରେ ବର୍ତମାନ କୋଭିଡ ସଂକ୍ରମଣ କମିଛି ଓ ହସପିଟାଲରେ ଆଇସିୟୁ ଓ ଶଯ୍ୟା ସନ୍ତୋଷଜନକ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ପରବର୍ତୀ ଯତ୍ନ ପାଇଁ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍ ପ୍ରସ୍ତୁତ କରିବା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।

ବୈଠକରେ ଉନ୍ନନ କମିଶନର ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ପି.କେ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଭି.କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Comments are closed.