କରୋନା ଭୟ: ଅର୍ଣ୍ଣବ ଅଲିବାଗ୍‌ରୁ ନବି ମୁମ୍ବାଇ ଜେଲଙ୍କୁ ସ୍ଥାନାନ୍ତର

ମୁମ୍ବାଇ – ରିପବ୍ଲିକ ଟିଭିର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ରାଇଗଡରୁ ନବି ମୁମ୍ବାଇ ସ୍ଥିତ ତାଲୋଜା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି । ଗିରଫ ପରେ ଅର୍ଣ୍ଣବଙ୍କୁ ରାଇଗଡର ଅଲିବାଗ୍ ପ୍ରାଇମେରୀ ସ୍କୁଲରେ ରଖାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସ୍କୁଲକୁ ଅସ୍ଥାୟୀ ଜେଲ ଭାବେ ବ୍ୟବହାର କରାଯାଉଛି । ତେବେ ସେହି ଅଞ୍ଚଳରେ କରୋନା ସଂକ୍ରମଣ ମାମଲା ଅଧିକ ଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅର୍ଣ୍ଣବଙ୍କୁ ପୋଲିସ୍ ରବିବାର ସକାଳେ ନବି ମୁମ୍ବାଇ ସ୍ଥିତ ତାଲୋଜା ଜେଲ୍‌କୁ ସ୍ଥାନାନ୍ତର କରିଛି ।

ତାଙ୍କୁ କିଛିଦିନ ଜେଲ୍ ପରିସରରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବ । ଏହାପରେ ତାଙ୍କୁ ବାରାକ୍‌କୁ ଅଣାଯିବ ବୋଲି ତାଲେଜା ଜେଲ ସୁପରିନଟେଣ୍ଡେଣ୍ଟ୍ କୌସ୍ତଭ କୁର୍ଲେକର କହିଛନ୍ତି । ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ନଭେମ୍ବର ୪ରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିଲା । ଅର୍ଣ୍ଣବ ସ୍ଥପତି ତଥା ଇଣ୍ଟରିୟର ଡିଜାଇନର ଅନଭୟ ନାୟକ ଓ ତାଙ୍କ ମା’ କୁମୁଦ ନାୟକଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ ହୋଇଥିଲା । ଅନ୍ତରୀଣ ଜାମିନ ପାଇଁ ଅର୍ଣ୍ଣବ କରିଥିବା ଆବେଦନ ଉପରେ ବମ୍ବେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

Comments are closed.