ଦ୍ୱିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣର ଆଶଙ୍କା, ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଲା ବିଏମସି, ବିବାହ ଓ ଶୁଦ୍ଧି କ୍ରିୟାରେ ଭିଡ ହ୍ରାସ ଉପରେ ଗୁରୁତ୍ୱ

ଭୁବନେଶ୍ୱର- ରାଜଧାନୀରେ କୋରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଥିବାରୁ ଭୁବନେଶ୍ୱର ମହାନଗର ନିଗମ-ବିଏମସି ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ପୂର୍ବରୁ ଜାରି ହୋଇଥିବା ନିୟମରେ ସାମାନ୍ୟ ପରିବର୍ତନ କରାଯାଇ ବିଏମସି ଅଂଚଳ ପାଇଁ ନୂଆ ଏସଓପି ଜାରି କରାଯାଇଛି । ବିବାହ ଓ ଶୁଦ୍ଧି କ୍ରିୟାରେ ଭିଡ ହ୍ରାସ ପାଇଁ ବିଏମସି ପରିବର୍ତିତ ଏସଓପିରେ ଗୁରୁତ୍ୱ ଦେଇଛି । ବିଏମସି ଜାରି କରିଥିବା ନୂଆ ନିୟମ ଅନୁସାରେ ଭୁବନେଶ୍ୱରରେ ବିବାହ ଉତ୍ସବରେ କେବଳ ୧୦୦ ଜଣଙ୍କ ଉପସ୍ଥିତିକୁ ହିଁ ଅନୁମତି ମିଳିବ । ଶୁଦ୍ଧି କ୍ରିୟାରେ ୫୦ ଜଣ ହିଁ ସାମିଲ ହୋଇପାରିବେ । ପରବର୍ତୀ ଆଦେଶ ଯାଏଁ ଏହା ବଳବତର ରହିବ ବୋଲି କୁହାଯାଇଛି ।

ଏହାଛଡା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା କଲ୍ୟାଣ ମଣ୍ଡପ, ମ୍ୟାରେଜ ହଲ୍ ପାଇଁ ଗାଇଡଲାଇନ୍ସ ଜାରି କରାଯାଇଛି । କୌଣସି କାର୍ଯ୍ୟକ୍ରମ ନିମନ୍ତେ ଥାନା ଓ ବିଏମସିର ସ୍ଥାନୀୟ କାର୍ଯ୍ୟାଳୟରୁ ଅନୁମତି ଆଣିବାକୁ ପଡିବ । ବିବାହ ଶୋଭାଯାତ୍ରାକୁ ମନା କରାଯାଇଥିବା ବେଳେ କାଶ, ଥଣ୍ଡା, ଜ୍ୱର ଆଦି ଲକ୍ଷଣ ଥିବା ୧୦ ବର୍ଷରୁ କମ ବୟସ୍କର ପିଲା, ବୃଦ୍ଧ,ଗର୍ଭବତୀ ମହିଳା ଓ ବିଭିନ୍ନ ରୋଗରେ ପୀଡିତ ଲୋକେ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ନାହିଁ । ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି । କାର୍ଯ୍ୟକ୍ରମରେ ଲୋକଙ୍କ ମଧ୍ୟରେ ୬ ଫୁଟର ସାମାଜିକ ଦୂରତା ରହିବ । ସେମାନେ ମାସ୍କ ପିନ୍ଧିବେ । କାର୍ଯ୍ୟକ୍ରମ ହେଉଥିବା ହଲ୍‌ର ୫୦ ପ୍ରତିଶତ ଭାଗ ହିଁ ଲୋକଙ୍କ ବ୍ୟବହାରରେ ଲାଗିବ । ଏସଓପି ପାଳନ ନେଇ ସ୍ଥାନୀୟ ପୋଲିସ ଓ ବିଏମସି ମିଳିତ ଭାବେ ଯାଂଚ କରିବେ ।

Comments are closed.