ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ, ଓଟିଟି ପ୍ଲାଟଫର୍ମ ଉପରେ ରହିବ ସରକାରୀ ନିୟନ୍ତ୍ରଣ

ନୂଆଦିଲ୍ଲୀ – ଏଣିକି ସବୁ ଅନ୍‌ଲାଇନ୍ ନ୍ୟୁଜ୍ ପୋର୍ଟାଲ ଓ କଣ୍ଟେଟ୍ ପ୍ରଦାନକାରୀ ଡିଜିଟାଲ ମିଡିଆ ଉପରେ ଲାଗିବ ଲଗାମ । ଅନଲାଇନ୍ ନ୍ୟୁଜ ପୋର୍ଟାଲ ଓ ଅନଲାଇନ୍ ଓଟିଟି ପ୍ଲାଟଫର୍ମ ଏବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନକୁ ଆସିବ । ବୁଧବାର ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ, ସବୁ ଅନ୍‌ଲାଇନ୍ ନ୍ୟୁଜ ପୋର୍ଟାଲ, ନେଟଫ୍ଲିକ୍ସ, ଆମାଜନ ପ୍ରାଇମ୍ ଭିଡିଓ ଭଳି ଅନଲାଇନ୍ ବିଷୟବସ୍ତୁ ପ୍ରଦାନକାରୀ ପ୍ଲାଟଫର୍ମ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିୟନ୍ତ୍ରଣରେ ରହିବ ।

ନିକଟରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଯୁକ୍ତି କରିଥିଲେ ଯେ, ବୈଦ୍ୟୁତିକ ଗଣମାଧ୍ୟମ ଅପେକ୍ଷା ଅନଲାଇନ୍ ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ ନିୟମ ହେବା ଜରୁରୀ । ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ ପାଇଁ ପୂର୍ବରୁ ନିୟମ ପ୍ରଣୟନ କରାଯାଇଛି । ତେବେ ଡିିଜିଟାଲ ମିଡିଆର ପ୍ରସାର ଓ ପ୍ରଭାବ ଅଧିକ ହୋଇଥିବାରୁ ଏହା ଉପରେ ନିୟନ୍ତ୍ରଣ ରଖାଯିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର ଯୁକ୍ତି କରିଥିଲେ । ଏହା ପୂର୍ବରୁ ସରକାର ଟିଭି ଓ ପ୍ରିଣ୍ଟ୍ ଭଳି ଡିଜିଟାଲ ମିଡିଆ ସାମ୍ବାଦିକଙ୍କୁ ବି ମାନ୍ୟତା ଦେବାକୁ ବିଚାର କରୁଛନ୍ତି ବୋଲି କହିଥିଲେ ।

ଏହାଛଡ଼ା ଜିଡିଟାଲ ମିଡିଆର ସାମ୍ବାଦିକ, ଫଟୋଗ୍ରାଫର, ଭିଡିଓ ଗ୍ରାଫରଙ୍କୁ ସରକାରୀ ସାମ୍ବାଦିକ ସମ୍ମିଳନୀକୁ ଆମନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ । ନ୍ୟୁଜ୍ ପୋର୍ଟାଲ ଓ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ୧୦ ଜଣିଆ କମିଟି ଗଠନ କରିଥିଲେ । ଏଥିରେ ସୂଚନା ଓ ପ୍ରସାରଣ, ଆଇନ, ଗୃହ, ଆଇଟି ମନ୍ତ୍ରଣାଳୟ ଏବଂ ଶିଳ୍ପ ନୀତି ଓ ପଦୋନ୍ନତି ବିଭାଗର ସଚିବମାନେ ସାମିଲ ହୋଇଥିଲେ ।

Comments are closed.