ନବୀନ ପଟ୍ଟନାୟକ : ଲୋକଙ୍କ ହୃଦୟ ସମ୍ରାଟ

ଭୁବନେଶ୍ୱର- ତିର୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ବିଜେଡିର ବିଜୟ ପୁଣି ଥରେ ପ୍ରମାଣିତ କରିଛି ଯେ, ରାଜ୍ୟ ରାଜନୀତିରେ ‘ନବୀନ ଫ୍ୟାକ୍ଟର’ ଦୃଢ ଭାବେ ବଜାୟ ରହିଛି । ଦିନକୁ ଦିନ ଏହି ଫ୍ୟାକ୍ଟର ଶକ୍ତିଶାଳୀ ହେଉଛି । ପୁଣି ଥରେ ଦେଖିବାକୁ ମିଳିଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବଳିଷ୍ଠ ନେତୃତ୍ୱର ଉଦାହରଣ ।

ତିର୍ତୋଲ ତ ବିଜେଡିର ଗଡ ରହିଆସିଛି । ଏଥର ମଧ୍ୟ ଏହି ଗଡ ଅଭେଦ୍ୟ ରହିଛି । ତିର୍ତୋଲରେ ତ ବିଜୟ ସହଜ ଜଣାପଡୁଥିଲା , କିନ୍ତୁ ବାଲେଶ୍ୱର ସଦର ଆସନ ବିଜେପିଠାରୁ ଛଡାଇ ଆଣିବା ନବୀନଙ୍କ ଦକ୍ଷ ନେତୃତ୍ୱ ପ୍ରମାଣ ଦେଉଛି । ବାଲେଶ୍ୱର ସଦର ଆସନ ପୁଣି ଥରେ ବିଜେଡି କବଜାକୁ ଆଣି ସୁପ୍ରିମୋ ନବୀନ ପଟ୍ଟନାୟକ ସୂଚାଇ ଦେଇଛନ୍ତି ଯେ, ବିଜେପି ଏକ ଚ୍ୟାଲେଜିଂ ଫୋର୍ସ ନୁହେଁ । ନବୀନଙ୍କ କରିସ୍ମା ଯେ ଅତୁଟ ରହିଛି, ତାହା ଉପନିର୍ବାଚନ ଫଳାଫଳରୁ ଆଉ ଥରେ ସ୍ପଷ୍ଟ ହୋଇଯାଇଛି ।

ବାଲେଶ୍ୱର ସଦର ଉପନିର୍ବାଚନ ଉଭୟ ବିଜେଡି ଓ ବିଜେପି ପାଇଁ ଥିଲା ସମ୍ମାନର ପ୍ରଶ୍ନ । ଏଠାରେ ବିଜେପି ଦିବଂଗତ ଦଳୀୟ ବିଧାୟକଙ୍କ ପୁଅକୁ ଟିକେଟ ଦେଇଥିଲା । ଅନୁକଂପାମୂଳକ ଭୋଟ୍ ପାଇବା ଥିଲା ଲକ୍ଷ୍ୟ । କିନ୍ତୁ ବିଜେଡି ଜଣେ ଶୃଙ୍ଖଳିତ ଦଳୀୟ କର୍ମୀଙ୍କୁ ମଇଦାନକୁ ଓହ୍ଲାଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନବୀନ ଏଥର ବାଲେଶ୍ୱର ସଦର ଆସନରେ ସିଧାସଳଖ ପ୍ରଚାର କରି ନ ଥିଲେ । ସେ କେବଳ ଭର୍ଚୁଆଲ ରାଲି ଜରିଆରେ ଭୋଟର ଓ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ । ପ୍ରଚାର ପାଇଁ ଭୋଟରଙ୍କ ପାଖକୁ ଯାଇ ନ ଥିଲେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାମ ଯୋଗୁ ହିଁ ଭୋଟରଙ୍କ ସଦିଚ୍ଛା ହାସଲ କରିବାରେ ସଫଳ ହୋଇଥିଲେ ନବୀନ । ଆଉ ତାହା ହିଁ ବାଲେଶ୍ୱର ସଦର ଆସନରେ ଦଳର ବିଜୟରେ ପ୍ରତିଫଳିତ ହୋଇଛି । ଏହି ଆସନ ବଜାୟ ପାଇଁ ବିଜେପି ପ୍ରାଣପଣେ ଉଦ୍ୟମ ଜାରି ରଖିଥିଲା । ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଅନେକ ସାଧାରଣ ସଭା କରି ଭୋଟରଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ । ଅନ୍ୟ ତାରକା ପ୍ରଚାରକ ବି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ । କିନ୍ତୁ ନବୀନଙ୍କ କରିସ୍ମା ଆଗରେ ମଳିନ ପଡିଯାଇଥିଲା ବିଜେପିର ପ୍ରଚାର ଅଭିଯାନ । ଏହି ଆସନରେ ଭୋଟ୍ ସେୟାରରୁ ସ୍ପଷ୍ଟ ଜଣାପଡୁଛି ଯେ, ବିଜେଡି ଗତ ତିନିଟି ନିର୍ବାଚନରେ ସମର୍ଥକଙ୍କ ସଂଖ୍ୟା ବୃଦ୍ଧି କରିବାରେ ସଫଳ ହୋଇଛି ।

ସେହିପରି ତିର୍ତୋଲ ବେ ନବୀନ ମ୍ୟାଜିକ ଦେଖିବାକୁ ମିଳିଛି । ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ଦଳୀୟ ପ୍ରାର୍ଥୀ । ଏଠାରେ ବି ବିରୋଧୀ ବିଜେପି ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜୋରଦାର୍ ପ୍ରଚାର ଅଭିଯାନ ଚଳାଇଥିଲା । କିନ୍ତୁ ନବୀନ ପ୍ରତ୍ୟକ୍ଷ ପ୍ରଚାର ନ କରି ମଧ୍ୟ ଭୋଟରଙ୍କ ହୃଦୟ ପୁଣି ଥରେ ଜିଣିପାରିଛନ୍ତି । ନବୀନ ମ୍ୟାଜିକ ବଳରେ ତିର୍ତୋଲରେ ବିଜେଡି ରେକର୍ଡ ବ୍ୟବଧାନରେ ବିଜୟୀ ହୋଇଛି ।

ଏସବୁରୁ ସ୍ପଷ୍ଟ ଜଣାପଡୁଛି ଯେ, ରାଜ୍ୟ ରାଜନୀତିରେ ନବୀନଙ୍କ ବିକଳ୍ପ ନାହିଁ । ନବୀନଙ୍କ ନିର୍ମଳ ଭାବମୂର୍ତି ଓ ସ୍ୱଚ୍ଛ ପ୍ରଶାସନ ସବୁବେଳ ସ୍ୱୀକୃତ ହୋଇଆସିଛି । ସେମାନଙ୍କ ନେତା କିଏ,ତାହା ଲୋକେ ଭଲଭାବେ ଜାଣିଛନ୍ତି ।

ନବୀନଙ୍କ ଅସମାନ୍ତରାଳ ନେତୃତ୍ୱ ଓ ଲୋକଙ୍କ ପ୍ରତି ନିକଟତର ହେବା ମନୋଭାବ ହିଁ ତାଙ୍କୁ ଏକ ଅପ୍ରତିଦ୍ୱନ୍ଦୀ ଜନପ୍ରିୟ ନେତା ପରିଗଣିତ କରିପାରିଛି । ନବୀନ ହାରଜିତର ନିର୍ବାଚନୀ ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ । ତାଙ୍କ ପାଇଁ ରାଜନୀତି ଲୋକଙ୍କ ସେବା ପାଇଁ ଏକ ମାଧ୍ୟମ । ରାଜ୍ୟବାସୀ ନବୀନ ଓ ତାଙ୍କ କଥାକୁ ବିଶ୍ୱାସ କରନ୍ତି । ଆଉ ନବୀନ ମଧ୍ୟ ସେମାନଙ୍କ ଆଶୀର୍ବାଦ ନେଇ ସେବା ମନୋବୃତି ସହ ଆଗେଇ ଚାଲିଛନ୍ତି । ନବୀନ ଲୋକଙ୍କ ହୃଦୟରେ ବସିଛନ୍ତି । ତେଣୁ ସେ ଲୋକଙ୍କ ନିକଟକୁ ଯିବା ଦରକାର ନାହିଁ ।

Comments are closed.