ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ

ଦୁବାଇ – ଆଇପିଏଲ ସରିବା ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛି । ଦୁବାଇରୁ ଭାରତୀୟ ଦଳ ସିଧା ଅଷ୍ଟ୍ରେଲିଆ ଯାଇଛନ୍ତି । ଆଇପିଏଲ୍ ପାଇଁ ପ୍ରାୟ ଦୁଇମାସ ଧରି ଜୈବ ସୁରକ୍ଷା ବଳୟରେ ରହିବା ପରେ ଟିମ୍ ଇଣ୍ଡିଆ ଖେଳାଳି ଅଷ୍ଟ୍ରେଲିଆ ଗସ୍ତରେ ବି ପୁଣିଥରେ କଡ଼ା କୋଭିଡ୍ ଗାଇଡ୍ ଲାଇନରେ ରହିବେ ।

ଟ୍ୱିଟରରେ ବିସିସିଆଇ ତରଫରୁ ପୋଷ୍ଟ କରାଯାଇଥିବା ଏକ ଫଟୋରେ ଅଷ୍ଟ୍ରେଲିଆ ଯାତ୍ରା କରିବା ପୂର୍ବରୁ ଭାରତୀୟ ଖେଳାଳି ଏକାଠି ପିପିଇ କିଟ୍ ପରିଧାନ କରି ପୋଜ୍ ଦେଉଥିବା ଦେଖିବାକୁ ମିଳୁଛି । ଆଇପିଏଲରେ ଖେଳିନଥିବା ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଉକ୍ତ ଫଟୋରେ ନଜର ଆସୁଛନ୍ତି । ଭାରତର ଅଷ୍ଟ୍ରେଲିଆ ଗସ୍ତ ନଭେମ୍ବର ୨୭ରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ସହ ଆରମ୍ଭ ହେବ । ଏହାପରେ ତିନୋଟି ଟି୨୦ ଖେଳାଯିବ । ଟି୨୦ ସିରିଜ୍ ଡିସେମ୍ବର ୪ରୁ ଆରମ୍ଭ ହେବ । ପରେ ଉଭୟ ଦଳ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଡିସେମ୍ବର ୧୭ରୁ ଜାନୁୟାରୀ ୧୯ ଯାଏ ଖେଳାଯିବ ।

ପ୍ରଥମ ଟେଷ୍ଟ ଦିବାରାତ୍ର ହେବ । ଏହା ଆଡିଲେଡ୍ ରେ ଡିସେମ୍ବର ୧୭ରୁ ଖେଳାଯିବ । ନିଜ ପ୍ରଥମ ସନ୍ତାନର ଜନ୍ମ ପାଇଁ ପ୍ରଥମ ଟେଷ୍ଟ ପରେ ଅଧିନାୟକ କୋହଲି ଭାରତ ଫେରି ଆସିବେ । ସେ ସିରିଜର ଅବଶିଷ୍ଟ ଟେଷ୍ଟରେ ଖେଳିବେନି । ରୋହିତ ଶର୍ମାଙ୍କୁ ଦିନିକିଆ ଓ ଟି୨୦ ସିରିଜରୁ ବିଶ୍ରାମ ଦିଆଯିବ । ରୋହିତ କେବଳ ଟେଷ୍ଟ ସିରିଜରେ ଖେଳିବେ । ଭାରତୀୟ ଦଳ ସହ ରୋହିତ ଅଷ୍ଟ୍ରେଲିଆ ଯାତ୍ରା କରିନାହାନ୍ତି । ସେ ଦୁବାଇରୁ ଭାରତ ଫେରିଆସିଛନ୍ତି । ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନଏସିଏ)ରେ ନିଜ ଫିଟନେସ୍ କୁ ସୁଧାରିବା ପରେ ସେ ପରେ ଅଷ୍ଟ୍ରେଲିଆ ଯିବେ ।

Comments are closed.