ଭାରତକୁ ଫେରିବ ପବ୍ଜି; ନିବେଶ କରିବ ୭୪୬ କୋଟି

ନୂଆଦିଲ୍ଲୀ – ଲୋକପ୍ରିୟ ମୋବାଇଲ୍ ଗେମିଂ ଆପ୍ ପବ୍ଜି ପୁଣି ଭାରତକୁ ଫେରିବ । ଦକ୍ଷିଣ କୋରିଆ କମ୍ପାନୀ ପବ୍ଜି କର୍ପୋରେସନ ଭାରତୀୟ ମାର୍କେଟରେ ନୂଆ ଗେମ୍ ଲଞ୍ଚ୍ କରିବାକୁ ଘୋଷଣା କରିଛି । ଏହି ନୂଆ ଗେମ୍ କେବଳ ଭାରତୀୟ ମାର୍କେଟ୍ ପାଇଁ ତିଆରି କରାଯାଇଛି । ଏଥର କିନ୍ତୁ ଚାଇନାର କୌଣସି କମ୍ପାନୀ ସହ ସହଭାଗିତା ହୋଇନାହିଁ ବୋଲି କମ୍ପାନୀ କହିଛି । ପବ୍ଜି କର୍ପୋରେସନ ଅନୁଯାୟୀ ଭାରତରେ ‘ପବ୍ଜି ମୋବାଇଲ୍ ଇଣ୍ଡିଆ’ ଲଞ୍ଚ୍ କରାଯିବ । ଏଥିସହ ଆପ୍ ଡାଟାର ସୁରକ୍ଷା ପାଇଁ ଗୁରୁତ୍ୱ ଦିଆଯିବ । ଭାରତରେ ୭୪୬ କୋଟି ନିବେଶ ପାଇଁ ଯୋଜନା ରହିଥିବା ପବ୍ଜିର ପ୍ୟାରେଣ୍ଟ କମ୍ପାନୀ କ୍ରାଫଟନ୍ ଇଙ୍କ୍ ତରଫରୁ ଘୋଷଣା କରାଯାଇଛି ।

ଉପଭୋକ୍ତାଙ୍କ ସହ ସୂଚନା ଆଦାନ ପ୍ରଦାନକୁ ଉନ୍ନତ କରିବା ପାଇଁ କମ୍ପାନୀ ଭାରତରେ ନିଜର ଏକ ସବସିଡିଏରୀ ପ୍ରସ୍ତୁତ କରିବ । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧୦୦ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ସୂଚନାଯୋଗ୍ୟ ଯେ, ସୁରକ୍ଷା କାରଣରୁ ଭାରତ ସରକାର ସେପ୍ଟେମ୍ବର ୪ରେ ଦେଶରେ ପବଜି ମୋବାଇଲ ଗେମକୁ ବ୍ୟାନ କରିଥିଲେ । ବ୍ୟାନ ପୂର୍ବରୁ ଏହା ଭାରତରେ ଅତ୍ୟନ୍ତ ଲୋକପ୍ରିୟ ମୋବାଇଲ ଗେମ୍ ଥିଲା । ଏହାର ପ୍ରାୟ ଦୈନିକ ୫୦ ନିୟୁତ ଉପଭୋକ୍ତା ଥିଲେ ।

Comments are closed.