କରୋନା ସଙ୍କଟ: ଦୈନିକ ମୃତ୍ୟୁସଂଖ୍ୟାରେ ଆମେରିକାକୁ ଟପିଲା ଭାରତ, ଦିନକରେ ରେକର୍ଡ ୪୫୨୯ ମୃତ, ୨.୬୭ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଗ୍ରାଫ୍ ଖସୁଥିଲେ ମଧ୍ୟ ମୃତ୍ୟୁର ତାଣ୍ଡବ ଜାରି ରହିଛି । କୋଭିଡ୍‌ରେ ଦେଶରେ ଗତ ୨୪ ଘଣ୍ଟାରେ ରେକର୍ଡ ୪୫୨୯ ଜଣଙ୍କର ମୃତ୍ୟୁ ହୋଇଛି । ଦିନକରେ ଆଉ ୨,୬୭,୩୩୪ ନୂଆ ମାମଲା ଚିହ୍ନଟ ହୋଇଛି । ସଂକ୍ରମିତଙ୍କ ଠାରୁ ପୁଣି ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଏହି ରୋଗରୁ ଆଉ ୩,୮୯,୮୫୧ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଭାରତରେ କ୍ରମାଗତ ପଞ୍ଚମ ଥର ପାଇଁ ୪୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି । ଦିନକରେ ୪,୫୨୯ ଜଣଙ୍କ ମୃତ୍ୟୁ ସହ ଆମେରିକାକୁ ଟପିଛି ଭାରତ । ଆମେରିକାରେ ଜାନୁୟାରୀ ୧୨ରେ ୪୪୬୮ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ବିଶ୍ୱର ତୃତୀୟ ସର୍ବାଧିକ କୋଭିଡ୍ ପ୍ରଭାବିତ ଦେଶ ବ୍ରାଜିଲରେ ଏପ୍ରିଲ ୧୬ରେ ୪୨୧୧ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

ଭାରତରେ ଏବେ ମୋଟ କୋଭିଡ୍ ମାମଲା ୨ କୋଟି ୫୪ ଲକ୍ଷ ୯୬ ହଜାର ୩୩୦କୁ ବୃଦ୍ଧି ପାଇଛି । ଏଯାବତ୍ ଏହି ଘାତକ ରୋଗରେ ୨ ଲକ୍ଷ ୮୩ ହଜାର ୨୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସର୍ବମୋଟ ୨ କୋଟି ୧୯ ଲକ୍ଷ ୮୬ ହଜାର ୩୬୩ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି । ଏବେ ଦେଶରେ ୩୨ ଲକ୍ଷ ୨୬ ହଜାର ୭୧୯ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.