ଶ୍ରୀଲଙ୍କା ଗସ୍ତରେ ଦ୍ରାବିଡ୍ ହେବେ ଭାରତୀୟ ଦଳର କୋଚ୍

‌ନୂଆଦିଲ୍ଲୀ: ଭାରତୀୟ ସୀମିତ ଓଭର ଦଳର ଶ୍ରୀଲଙ୍କା ଗସ୍ତରେ ପୂର୍ବତନ ଅଧିନାୟକ ତଥା ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ରାହୁଲ ଦ୍ରାବିଡ୍ କୋଚ ଦାୟିତ୍ୱ ତୁଲାଇବେ । ଜୁଲାଇରେ ଭାରତୀୟ ସୀମିତ ଓଭର ଦଳ ଶ୍ରୀଲଙ୍କା ଗସ୍ତରେ ଯିବ । ଦ୍ରାବିଡ୍ ଏହି ଗସ୍ତ ପାଇଁ କୋଚ୍ ହେବେ ବୋଲି ବିସିିସିଆଇର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ଦ୍ୱିତୀୟ ଥର ପାଇଁ ଦ୍ରାବିଡ୍ ଭାରତୀୟ ସିନିୟର ଦଳର କୋଚିଂ ଦାୟିତ୍ୱ ତୁଲାଇବେ । ଏହା ପୂର୍ବରୁ ସେ ୨୦୧୪ ଇଂଲଣ୍ଡ ଗସ୍ତ ବେଳେ ଦଳର ବ୍ୟାଟିଂ ପରାମର୍ଶଦାତା ଥିଲେ ।

ଭାରତୀୟ ଟେଷ୍ଟ ଦଳ ସହ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏବଂ ଅନ୍ୟ କୋଚିଂ ଷ୍ଟାଫ୍ ଇଂଲଣ୍ଡ ଗସ୍ତରେ ବ୍ୟସ୍ତ ରହିବେ । ତେଣୁ ଶ୍ରୀଲଙ୍କା ଗସ୍ତରେ ଭାରତୀୟ ସୀମିତ ଓଭର ଦଳର କୋଚିଂ ଦାୟିତ୍ୱ ଦ୍ରାବିଡ୍ ସମ୍ଭାଳିବେ । ଦ୍ରାବିଡ୍ ପୂର୍ବରୁ ଭାରତୀୟ ‘ଏ’ ଦଳ ସହ କାର୍ଯ୍ୟ କରିଥିବାରୁ ତାଙ୍କ ଉପସ୍ଥିତି ଯୁବ ଖେଳାଳିଙ୍କ ପାଇଁ ଲାଭଦାୟକ ହେବ ବୋଲି ବିସିସିଆଇ ଅଧିକାରୀ ଜଣକ କହିଛନ୍ତି ।

୨୦୧୯ରେ ଏନ୍‌ସିଏ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଦ୍ରାବିଡ୍ ବର୍ତ୍ତମାନ ଭାରତୀୟ ଦଳର ଅଂଶ ଥିବା ଯୁବ ଖେଳାଳିଙ୍କ ସହ କାମ କରିଥିଲେ । ଦ୍ରାବିଡ୍ ଅଣ୍ଡର-୧୯ ଓ ‘ଏ’ ଦଳର କୋଚ୍ ଥିବା ବେଳେ ଏହି ଯୁବ ଖେଳାଳିଙ୍କ ସଂସ୍ପର୍ଶରେ ଆସିଛନ୍ତି । ଭାରତର ମଜବୁତ ବେଞ୍ଚ୍ ଷ୍ଟ୍ରେନ୍ଥ ପାଇଁ ଦ୍ରାବିଡଙ୍କୁ ଶ୍ରେୟ ଦିଆଯାଏ ।

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଚୟନ ଚଳିତ ମାସ ଶେଷ ସୁଦ୍ଧା ହେବ ବୋଲି ଆଶା କରାଯାଉଛି । ଶ୍ରୀଲଙ୍କାରେ ପହଞ୍ଚିବା ପରେ ଭାରତୀୟ ଦଳକୁ କିଛି ଦିନ କ୍ୱାରେଣ୍ଟାଇନରେ ରହିବାକୁ ହେବ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ୍ ଖେଳାଯିବ । ସବୁ ମ୍ୟାଚ୍ କଲମ୍ବୋରେ ଖେଳାଯିବା ସମ୍ଭାବନା ରହିଛି । ତିନୋଟି ଦିନିକିଆ ଯଥାକ୍ରମେ ଜୁଲାଇ ୧୨,୧୬ ଓ ୧୯ରେ ଅନୁଷ୍ଠିତ ହେବ । ଟି୨୦ ମ୍ୟାଚ୍ ଗୁଡିକ ଜୁଲାଇ ୨୨ ରୁ ୨୭ ମଧ୍ୟରେ ଖେଳାଯିବ ।

Comments are closed.