ବ୍ଲାକ୍ ଫଙ୍ଗ୍‌ସକୁ ମହାମାରୀ ଘୋଷଣା କରିବାକୁ ରାଜ୍ୟଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଠାରେ ଏବେ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋରମାଇକୋସିସ୍ ସମସ୍ୟା ଚିନ୍ତାର କାରଣ ହୋଇଛି । ବ୍ଲାକ୍ ଫଙ୍ଗସ୍ ମାମଲା ଏବେ ଦେଶରେ ବଢୁଥିବାରୁ ଏହି ରୋଗକୁ ମହାମାରୀ ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାର ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲାକ୍ ଫଙ୍ଗସ୍‌କୁ ମହାମାରୀ ଆଇନ ଅଧୀନରେ ଅଧିସୂଚିତ ରୋଗ ଭାବେ ଘୋଷଣା କରି ଏ ସମ୍ପର୍କିତ ମାମଲା ରିପୋର୍ଟ କରିବାକୁ ରାଜ୍ୟମାନଙ୍କୁ କହିଛି କେନ୍ଦ୍ର ।

ରାଜସ୍ଥାନ ଦେଶର ପ୍ରଥମ ରାଜ୍ୟ ଭାବେ ବ୍ଲାକ ଫଙ୍ଗସ୍‌କୁ ମହାମାରୀ ଘୋଷଣା କରିଛି । ହରିୟାଣା ଓ ତେଲଙ୍ଗାନା ଏହାକୁ ଅଧିସୂଚିତ ରୋଗ ଭାବେ ଘୋଷଣା କରିସାରିଛନ୍ତି ।
ବିନା ଡାକ୍ତରୀ ପରାମର୍ଶରେ ଅତ୍ୟଧିକ ଷ୍ଟେରଏଡ୍ ବ୍ୟବହାର କରିବା ବ୍ଲାକ୍ ଫଙ୍ଗସ୍‌ର କାରଣ ହୋଇଥାଏ । ଏହାଛଡ଼ା ଆଇସିୟୁରେ ଅଧିକ ଦିନ ଚିକିତ୍ସିତ ହୋଇଥିବା କୋଭିଡ୍ ରୋଗୀ ଓ ମଧୁମେହ ରୋଗୀଙ୍କ ଠାରେ ବ୍ଲାକ୍ ଫଙ୍ଗସ୍‌ର ମାମଲା ଅଧିକ ଦେଖିବାକୁ ମିଳେ । ଠିକ୍ ସମୟରେ ଚିକିତ୍ସା ନ କଲେ ଏହି ରୋଗ ଘାତକ ସାବ୍ୟସ୍ତ ହୋଇପାରେ । ଏହି ରୋଗରେ ଆଖି, ଗଳା ଓ ନାକ ତଳ ଲାଲ୍ ପଡିଯାଏ । ଜ୍ୱର, କାଶ, ମୁଣ୍ଡବିନ୍ଧା, ନିଶ୍ୱାସ ନେବାରେ କଷ୍ଟ ହେବା, ରକ୍ତବାନ୍ତି ଏବଂ ଛାତିରେ ଯନ୍ତ୍ରଣା ଆଦି ଏହି ରୋଗର ଲକ୍ଷଣ ।

Comments are closed.