ଇସଲାମିକ ଷ୍ଟଡିଜ୍ ପ୍ରବେଶିକା ପରୀକ୍ଷାରେ ଟପ୍ପର ହେଲେ ହିନ୍ଦୁ ଯୁବକ

ଅଲୱର – ବିଭିନ୍ନ ଧର୍ମକୁ ନେଇ ବର୍ତ୍ତମାନ ଯେଉଁଭଳି ଅପପ୍ରଚାର ଚାଲିଛି, ତାହା ବାସ୍ତବିକ ଚିନ୍ତାଜନକ । କିନ୍ତୁ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ‘ସର୍ବଧର୍ମ ସମନ୍ୱୟ’ର ମନ୍ତ୍ରରେ ସବୁ ସମ୍ପ୍ରଦାୟକୁ ଏକାଠି କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଏମିତି ଜଣେ ଯୁବକ ହେଲେ ରାଜସ୍ଥାନ ଅଲୱରର ଶୁଭମ ଯାଦବ । ସେ ଜଣେ ହିନ୍ଦୁ ହୋଇଥିଲେ ମଧ୍ୟ ଇସଲାମିକ୍ ଷ୍ଟଡିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେବଳ ଏତିକି ନୁହେଁ, କାଶ୍ମୀର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଇସଲାମିକ୍ ଷ୍ଟଡିଜ୍ ରେ ପ୍ରବେଶିକା ପରୀକ୍ଷା ଦେଇ ସେ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ଇସଲାମିକ୍ ଷ୍ଟଡିଜରେ ଟପ୍ପର ହେବାରେ ଶୁଭମ ହେଉଛନ୍ତି ଦେଶର ପ୍ରଥମ ଅଣ ମୁସଲିମ ଯୁବକ । ଶୁଭମ୍ ବର୍ତ୍ତମାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରୁଛନ୍ତି । ସିଭିଲ ସର୍ଭିସ୍ ରେ କ୍ୟାରିୟର ଗଢିବା ତାଙ୍କର ଲକ୍ଷ୍ୟ ରହିଛି ।

ଇସଲାମ୍ ଧର୍ମ ବିଷୟରେ ଜାଣିବାକୁ ଆଗ୍ରହ ହିଁ ଶୁଭମଙ୍କୁ ଇସଲାମିକ ଷ୍ଟଡିଜ୍ ପ୍ରତି ଆକୃଷ୍ଟ କରିଥିଲା । ସମ୍ପ୍ରତି ବିଶ୍ୱର ବିଭିନ୍ନ ସ୍ଥାନରେ ଇସଲାମୋଫୋବିୟା ଏବଂ ଧାର୍ମିକ ଧ୍ରୁବିକରଣ ଜୋର୍ ଧରିଛି । ଏଭଳିସ୍ଥଳେ ଇସଲାମ୍ ଧର୍ମ ବିଷୟରେ ଅଧିକ ଜ୍ଞାନ ଆହରଣ କରିବାକୁ ତାଙ୍କର ଉତ୍ସୁକତା ବଢିଥିଲା । ଦୁଇ ଧର୍ମର ସମ୍ପ୍ରଦାୟକୁ ଯଦି ଏକାଠି କରିବାକୁ ହୁଏ, ତେବେ ପରସ୍ପର ବିଷୟରେ ଜାଣିବା ଜରୁରି ବୋଲି ଶୁଭମ କହନ୍ତି । ଇସଲାମରେ ରକ୍ଷଣଶୀଳତାକୁ ଅଧିକ ଗୁରୁତ୍ୱ ଦିଆଯାଏ । ସେ କେବଳ ମୁସଲିମଙ୍କ ବିଷୟରେ ନୁହେଁ, ବରଂ ଇସଲାମିକ ସଂସ୍କୃତିକୁ ବୁଝିବାକୁ ଚାହୁଁଛନ୍ତି ବୋଲି ଶୁଭମ୍ କହିଛନ୍ତି ।

Comments are closed.