ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସ୍‌ର ଆତଙ୍କ, ୧୨୦ ଲୋକଙ୍କ ମୃତ୍ୟୁ, ମହାମାରୀ ଘୋଷଣା କଲେ ଉଦ୍ଧବ ସରକାର

ମୁମ୍ବାଇ: କରୋନା ସହ ଏବେ ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ମହାରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଛି । ବ୍ଲାକ୍ ଫଙ୍ଗସ୍ କାରଣରୁ ରାଜ୍ୟରେ ଏ ଯାଏଁ ୧୨୦ ଲୋକଙ୍କ ମୃତ୍ୟୁ ହେଲାଣି । ଏହି ରୋଗରେ ପୁଣେରେ ସର୍ବାଧିକ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନାନ୍ଦେଡ୍‌ରେ ୨୨ ଏବଂ ମୁମ୍ବାଇରେ ପାଞ୍ଚ ଜଣ ଲୋକ ପ୍ରାଣ ହରାଇଛନ୍ତି । ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ମାମଲା ବୃଦ୍ଧି ପାଉଥିବାରୁ ଉଦ୍ଧବ ଠାକରେ ସରକାର ଏହି ରୋଗକୁ ମହାମାରୀ ଘୋଷଣା କରିଛନ୍ତି ।

ଏଯାବତ୍ ସମଗ୍ର ଦେଶରେ ବ୍ଲାକ୍ ଫଙ୍ଗସ୍‌ ପାଖାପାଖି ୧୦ ହଜାର ମାମଲା ରିପୋର୍ଟ କରାଯାଇଛି । କରୋନାରୁ ସୁସ୍ଥ ହେଉଥିବା କିଛି ଲୋକଙ୍କ ଠାରେ ଏହି ରୋଗ ଦେଖାଯାଏ । ବିଶେଷକରି ଯେଉଁ କୋଭିଡ୍ ରୋଗୀ ଅଧିକ ଦିନ ଆଇସିୟୁରେ ରହିଥିବେ କିମ୍ବା ଅତ୍ୟଧିକ ଷ୍ଟେରଏଡ୍ ନେଇଥିବା ଏବଂ ଅନିୟନ୍ତ୍ରିତ ମଧୁମେହରେ ପୀଡିତ ରୋଗୀଙ୍କ କ୍ଷେତ୍ରରେ ମ୍ୟୁକୋରମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍‌’) ଲକ୍ଷଣ ଦେଖାଦିଏ । ଏହି ରୋଗରେ ଗଳା, ଆଖି ପାଖ ଲାଲ୍ ପଡିଯାଏ । ମୁଣ୍ଡବିନ୍ଧା, ଜ୍ୱର, ନାକରୁ କଳାପାଣି ବାହାରିବା ଏବଂ କାଶିଲେ ରକ୍ତ ବାହାରିବା, ନିଶ୍ୱାସ ନେବାରେ କଷ୍ଟ ହେବା ଆଦି ବ୍ଲାକ୍ ଫଙ୍ଗସ୍‌ର ଲକ୍ଷଣ । ଠିକ୍ ସମୟରେ ଚିକିତ୍ସା ନ କଲେ ଏହି ରୋଗ ଘାତକ ସାବ୍ୟସ୍ତ ହୋଇଥାଏ । ଦେଶରେ ବ୍ଲାକ୍ ଫଙ୍ଗସ୍ ମାମଲା ବଢ଼ୁଥିବାରୁ ନିକଟରେ କେନ୍ଦ୍ର ସରକାର ଏହି ରୋଗକୁ ମହାମାରୀ ଆଇନା ଅନୁସାରେ ଅଧିସୂଚିତ ରୋଗ ଭାବେ ଘୋଷଣା କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.