ଉତ୍କୃଷ୍ଟ କୋଭିଡ୍ ପରିଚାଳନା ନିମନ୍ତେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାକୁ ଆର୍ଥିକ ସହାୟତା

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଉତ୍କୃଷ୍ଟ କୋଭିଡ୍ ପରିଚାଳନା ନିମନ୍ତେ ଆବଶ୍ୟକ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଓଡ଼ିଶା ଔଷଧ ନିଗମ ଯୋଗାଇବ । ଏ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ନୀତିଗତ ନିଷ୍ପତ୍ତି ନିଆଯାଇଛି ।

ଯେହେତୁ ରାଜ୍ୟ ସରକାରଙ୍କ ତରଫରୁ ଏହି ନିଗମ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଂଗ୍ରହ କରିବା ପାଇଁ ଆବଶ୍ୟକୀୟ ବୈଷୟକ ଯୋଗ୍ୟତା , ଅନୁଭୂତି ରହିଛି , ତେଣୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରାମର୍ଶ କ୍ରମେ ସମସ୍ତ ଜିଲ୍ଲାପାଳଙ୍କୁ ଏସବୁ ସାମଗ୍ରୀ ନିଗମ ମାଧ୍ୟମରେ ଯୋଗାଇ ଦେବା ପାଇଁ ଜଣାଇ ଦିଆଯାଇଛି । ଏହା ବ୍ୟତୀତ ଆବଶ୍ୟକୀୟ ସିଭିଲ୍ ଓ ବିଦ୍ୟୁତିକରଣ କାମ , ଆଇସିୟୁ ଶଯ୍ୟ , ଅମ୍ଳଜାନ ପାଇପଲାଇନ୍ , ଡିଜି ସେଟ୍ ଇତ୍ୟାଦି ଡାକ୍ତରୀ ଓ ଅଣଡାକ୍ତରୀ ସରଞ୍ଜାମ ପାଇଁ ଜିଲ୍ଲାପାଳମାନେ ସିଧାସଳଖ ସ୍ଥାନୀୟ ବ୍ୟବସ୍ଥା ଅନୁସାରେ କ୍ରୟ ଓ ଯୋଗାଡ଼ କରିବେ ।

ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଉପଯୁକ୍ତ କୋଭିଡ୍ ପରିଚାଳନା ନିମନ୍ତେ ଆବଶ୍ୟକୀୟ ଜରୁରୀ ସରଞ୍ଜାମ ସଂଗ୍ରହ ଏବଂ ଭିତ୍ତିଭୂମି ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ କିଛିଦିନ ପୂର୍ବରୁ ୨୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିଲା । ଜିଲ୍ଲାଗୁଡ଼ିକ ତରଫରୁ ଏଥିପାଇଁ ଯଥାଶୀଘ୍ର ପ୍ରସ୍ତାବ ଦେବାକୁ କୁହାଯାଇଥିଲା । ଏଥି ପାଇଁ ଜିଲ୍ଲାପାଳମାନଙ୍କ ସହ ପରାମର୍ଶ କରାଯାଇଥିଲା ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ଏହି ପ୍ରସ୍ତାବଗୁଡ଼ିକ ହସ୍ତଗତ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ବ୍ୟାପକ ବିଚାରବିମର୍ଶ ପରେ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରିବା ସହ ଜରୁରୀ ସାମଗ୍ରୀ ସଂଗ୍ରହ ପାଇଁ ସବୁଜ ସଂକେତ ପ୍ରଦାନ କରାଯାଇଛି ।

Comments are closed.