ପିଏମ୍ କେୟାର୍ସ ପାଣ୍ଠିରୁ ମିଳିଥିବା ୧୧୩ ଭେଣ୍ଟିଲେଟର ଅକାମୀ, କେନ୍ଦ୍ରକୁ ଜବାବ ମାଗିଲେ ହାଇକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମରାଠୱାଡା ଜିଲ୍ଲାକୁ ପିଏମ୍ କେୟାର୍ସ ପାଣ୍ଠି ଅଧୀନରେ ମିଳିଥିବା ଭେଣ୍ଟିଲେଟର ଗୁଡିକ କାମ କରୁନଥିବା ଅଭିଯୋଗ ହୋଇଛି । ଏହା ଏକ ଗମ୍ଭୀର ବିଷୟ ବୋଲି କହିବା ସହ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍ ଏନେଇ କେନ୍ଦ୍ରକୁ ଜବାବ ତଲବ କରିଛନ୍ତି ।

କେନ୍ଦ୍ରରୁ ମିଳିଥିବା ଏଭଳି ଅଚଳ ଭେଣ୍ଟିଲେଟର ରୋଗୀଙ୍କ ଜୀବନକୁ ବିପଦରେ ପକାଇବ ବୋଲି କୋର୍ଟ କହିଛନ୍ତି । ଭେଣ୍ଟିଲେଟର ଗୁଡିକୁ ଯାଞ୍ଚ୍ କରିଥିବା ନେତାଙ୍କୁ ମଧ୍ୟ କୋର୍ଟ ସମାଲୋଚନା କରିଛନ୍ତି ।

ପିଏମ୍ କେୟାର୍ସ ପାଣ୍ଠିରୁ ମରାଠୱାଡାର ବିଭିନ୍ନ ହସ୍ପିଟାଲକୁ ମିଳିଥିବା ୧୫୦ ଭେଣ୍ଟିଲେଟର ମଧ୍ୟରୁ ୧୧୩ ତ୍ରୁଟିପୂର୍ଣ୍ଣ ଥିବା ଜଣାପଡିଥିଲା । ଏହି ପ୍ରସଙ୍ଗରେ ଗଣମାଧ୍ୟମ ରିପୋର୍ଟର ସଜ୍ଞାନ ନେଇ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍ ନିଜ ଆଡୁ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ଜଷ୍ଟିସ୍ ରବୀନ୍ଦ୍ର ବି.ଘୁଗେ ଓ ଭାଲଚନ୍ଦ୍ର ୟୁ.ଦେବଡୱାରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଥିଲେ ଯେ, ମରାଠାୱାଡା ଅଞ୍ଚଳକୁ ମିଳିଥିବା ୧୫୦ ଭେଣ୍ଟିଲେଟର ଭିତରୁ ୧୧୩ ଅଚଳ । ଆହୁରି ୩୭ ଭେଣ୍ଟିଲେଟର ଖୋଲା ଯାଇନାହିଁ । ଏଭଳି ତ୍ରୁଟିପୂର୍ଣ୍ଣ ଭେଣ୍ଟିଲେଟର ବ୍ୟବହାର ଦ୍ୱାରା ରୋଗୀଙ୍କ ଜୀବନ ବିପଦରେ ପଡିବ ।

ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଏଭଳି ଭେଣ୍ଟିଲେଟର ବ୍ୟବହାର କରିବା ଦ୍ୱାରା ରୋଗୀ ‘ହାଇପୋକ୍ସିକ’ର ଶିକାର ହୋଇପାରନ୍ତି । ଅର୍ଥାତ ସେମାନଙ୍କ ଶରୀରରେ ଅକ୍ସିଜେନର ମାତ୍ରା କମ୍ ହେବା ସମ୍ଭାବନା ରହିଛି ।

ହାଇକୋର୍ଟ ଏହି ମାମଲାରେ କେନ୍ଦ୍ରଠୁ ସ୍ପଷ୍ଟୀକରଣ ମାଗିବା ସହ ଏନେଇ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି । କୋର୍ଟ ଏହାକୁ ଗମ୍ଭୀର ବିଷୟ ବୋଲି କହିବା ସହ ବିଭିନ୍ନ ହସ୍ପିଟାଲ ଯାଇ ଖରାପ ହସ୍ପିଟାଲ ଗୁଡିକର ଯାଞ୍ଚ୍‌୍ କରିଥିବା ନେତାଙ୍କୁ ବି ସମାଲୋଚନା କରିଛନ୍ତି ।

Comments are closed.