ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ଉପରେ ରୋକ୍ ଲଗାଇବାକୁ ମନାକଲେ ହାଇକୋର୍ଟ, ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହା ଏକ ଅତ୍ୟାବଶ୍ୟକ ଜାତୀୟ ଯୋଜନା । ଏହା ଅଧୀନ ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି କୋର୍ଟ କହିଛନ୍ତି । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ଉପରେ ରୋକ୍ ଲଗାଇବାକୁ ହୋଇଥିବା ଅବେଦନକୁ ମଧ୍ୟ କୋର୍ଟ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବା ସହ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ।

କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ବନ୍ଦ କରାଯିବା ଉଚିତ । ସାମ୍ପ୍ରତିକ ସ୍ଥିତିରେ ଏହି କାର୍ଯ୍ୟ ଜାରି ରଖାଗଲେ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ।

ଦିଲ୍ଲୀ ହାଇକୋର୍ଟ ଆଜି ଏହି ମାମଲାରେ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ନିୟୋଜିତ ଶ୍ରମିକମାନେ ସେହି ସ୍ଥାନରେ ହିଁ ରହୁଛନ୍ତି । ତେଣୁ ଏହାକୁ ରୋକିବାର କୌଣସି ପ୍ରଶ୍ନ ଉଠୁନାହିଁ । ଏହାଛଡ଼ା କୋର୍ଟ କହିଥିଲେ ଯେ, ଏହା ଏକ ଅତ୍ୟାବଶ୍ୟକ ଜାତୀୟ ପ୍ରକଳ୍ପ ।

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ପ୍ରାୟ ୨୦ ହଜାର କୋଟି ବ୍ୟୟରେ ଏକ ନୂଆ ସଂସଦ ଭବନ ସହ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟାଳୟ ନିର୍ମାଣ କରାଯିବ । କରୋନା ସଂକ୍ରମଣ ଯୋଗୁଁ ଦେଶରେ ହାହାକାର ସୃଷ୍ଟି ହୋଇଥିବା ବେଳେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରଖିବା ନେଇ କେନ୍ଦ୍ର ସରକାର ସମାଲୋଚିତ ହୋଇଥିଲେ ।

Comments are closed.