ପାକିସ୍ତାନ ତରଫରୁ ହୋଇଥିଲା ପ୍ରବଳ ଗୁଳିଗୋଳା ବର୍ଷା, ମାନବାଧିକାର ସଂଗଠନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କହିଲା ବିଏସଏଫ୍‌

ଶ୍ରୀନଗର – ଗତ ଶୁକ୍ରବାର ଜାମ୍ମୁକାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି) ନିକଟସ୍ଥ ଚାରିଟି ସେକ୍ଟରରେ ବିନା ଉତ୍ତେଜନାରେ ପାକିସ୍ତାନ ତରଫରୁ ପ୍ରବଳ ଗୋଳିଗୋଳା ମାଡ ହୋଇଥିଲା । ଏଥିରେ ବହୁ ଧନଜୀବନ ନଷ୍ଟ ହୋଇଥିଲା ବୋଲି ସୀମା ସୁରକ୍ଷାବଳ (ବିଏସଏଫ୍‌)ର ଜଣେ ବରିଷ୍ଠ ଅଧିକାରୀ ରବିବାର କହିଛନ୍ତି । ଜାମ୍ମୁକାଶ୍ମୀରର ଗୁରେଜ ଓ ଉରି ସେକ୍ଟର ମଧ୍ୟରେ ଏଲଓସି ପାଖରେ ପାକିସ୍ତାନ ଅନେକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ।

ପାକିସ୍ତାନ ସେନାର ଗୁଳିମାଡ଼ରେ ପାଞ୍ଚ ସୁରକ୍ଷାକର୍ମୀଙ୍କ ସମେତ ୧୧ ଜଣ ଲୋକଙ୍କ ପ୍ରାଣହାନି ହୋଇଥିଲା । ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇଥିଲା ଭାରତ । ଭାରତର ପାଲଟା ଆକ୍ରମଣରେ ପାକିସ୍ତାନର ୮ ସୈନ୍ୟ ନିହତ ହୋଇଥିଲେ । ପାକିସ୍ତାନର ଅନେକ ବଙ୍କର, ଲଞ୍ଚ୍ ପ୍ୟାଡ୍ ମଧ୍ୟ ଧ୍ୱଂସ ହୋଇଥିଲା । ବିଏସଏଫ ମହାନିର୍ଦ୍ଦେଶକ (କାଶ୍ମୀର) ରାଜେଶ ମିଶ୍ର କହିଛନ୍ତି ଯେ, ପାକିସ୍ତାନ ବିନା କୌଣସି ଉତ୍ତେଜନାରେ ଅଚାନକ ପ୍ରବଳ ଗୁଳିବର୍ଷା କରିଥିଲା । କିନ୍ତୁ ସେନା ଓ ବିଏସଏଫ୍ ଏହାର କଡ଼ା ଜବାବ ଦେଇଥିଲେ ।

ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ ପାଇଁ ଏଲଓସି ସେପଟେ ପ୍ରାୟ ୨୫୦ରୁ ୩୫୦ ଆତଙ୍କବାଦୀ ଉଦ୍ୟମ କରିଥିଲେ । କିନ୍ତୁ ବିଏସଏଫ ସେମାନଙ୍କ ଉଦ୍ୟମ ପଣ୍ଡ କରିବାରେ ସଫଳ ହୋଇଥିଲା । ପାକିସ୍ତାନର ଗୁଳିଗୋଳା ମାଡ଼ରେ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଘର ନଷ୍ଟ ହୋଇଛି । ଏଥିପ୍ରତି ମାନବାଧିକାର ସଂଗଠନ ଗୁଡିକ ଦୃଷ୍ଟି ଦେବା ଉଚିତ । ଭାରାତ ମଧ୍ୟ ଏହି ପ୍ରସଙ୍ଗ ପାକିସ୍ତାନ ବିରୋଧରେ ଉଠାଇବା ଉଚିତ ବୋଲି ମିଶ୍ର କହିଛନ୍ତି ।

Comments are closed.