ଏଲୋପାଥି ନେଇ ରାମଦେବଙ୍କ ମନ୍ତବ୍ୟ ପ୍ରତିବାଦରେ ରେସିଡେଣ୍ଟ୍ ଡାକ୍ତର ପାଳିଲେ କଳା ଦିବସ

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସା ନେଇ ଯୋଗଗୁରୁ ରାମଦେବଙ୍କ ମନ୍ତବ୍ୟର ପ୍ରତିବାଦରେ ଦିଲ୍ଲୀ ସମେତ ଦେଶର ଅନେକ ସହରରେ ରେଡିଡେଣ୍ଟ ଡାକ୍ତରମାନେ ଆଜି କଳା ଦିବସ ପାଳିଛନ୍ତି । ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡକ୍ଟର୍ସ ଆସୋସିଏସନ୍ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି ।

ରାମେଦବଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ ରେସିଡେଣ୍ଟ୍ ଡାକ୍ତରମାନେ ହାତରେ କଳା ରିବନ୍ ପିନ୍ଧିବା ସହ ତାଙ୍କ ଠାରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ତେବେ ସେମାନଙ୍କ ଏହି ପ୍ରତିବାଦ ଯୋଗୁଁ ରୋଗୀସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି ।

ରାମଦେବଙ୍କ ମନ୍ତବ୍ୟ ବିରୋଧରେ ଆମର ପ୍ରତିବାଦ ଆଜି ସକାଳୁ ଆରମ୍ଭ ହୋଇଛି । ଏଲୋପାଥି ଚିକିତ୍ସା ନେଇ ରାମେଦବଙ୍କ ମନ୍ତବ୍ୟ ଯୋଗୁଁ ଡାକ୍ତରମାନେ ନିରୁତ୍ସାହିତ ହୋଇଛନ୍ତି । ମହାମାରୀ ଆଇନ୍ ଅଧୀନରେ ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଜଣେ ସିନିୟର ଡାକ୍ତର କହିଛନ୍ତି ।

ଏହି ଆନ୍ଦୋଳନରେ ଦିଲ୍ଲୀର ଏମ୍ସ, ସଫଦରଜଙ୍‌ଗ ହସ୍ପିଟାଲ, ଲେଡୀ ହାର୍ଡିଞ୍ଜ୍ ମେଡିକାଲ କଲେଜ୍ ଓ ହସ୍ପିଟାଲ, ହିନ୍ଦୁରାଓ ହସ୍ପିଟାଲ, ସଞ୍ଜୟ ଗାନ୍ଧି ମେମୋରିଆଲ ହସ୍ପିଟାଲ, ବିଆର ଆମ୍ବେଦକର ହସ୍ପିଟାଲ ଭଳି ପ୍ରମୁଖ ହସ୍ପିଟାଲର ରେସିଡେଣ୍ଟ୍ ଡାକ୍ତର ସାମିଲ ହୋଇଛନ୍ତି ।

କିଛି ଦିନ ତଳେ ରାମଦେବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସେ ଏଲୋପାଥି ଚିକିତ୍ସା ବିରୋଧରେ ମନ୍ତବ୍ୟ ଦେଉଥିବା ଦେଖାଯାଇଥିଲା । ସେ କହିଥିଲେ ଯେ, ଏଲୋପାଥି ଚିକିତ୍ସା ଏକ ମୁର୍ଖ ଓ ଦେବାଳିଆ ବିଜ୍ଞାନ । ଏଲୋପାଥି ଔଷଧ ଯୋଗୁଁ ଲକ୍ଷ ଲକ୍ଷ ରୋଗୀଙ୍କ ମୃତ୍ୟୁ ହୋଇଛି ।

Comments are closed.