ପ୍ରତିଭାକୁ ରୋକିପାରିନି ମହାମାରୀ ସଙ୍କଟ

ବୟସ ମାତ୍ର ୧୧ ବର୍ଷ। ହେଲେ ତାଙ୍କ ଭିତରେ ରହିଥିବା ପ୍ରତିଭାକୁ ରୋକିପାରିନି କରୋନା ମହାମାରୀ ସଙ୍କଟ। ବରଂ ଏହି ବିଷମ ସମୟରେ ସେ ନିଜ ଦକ୍ଷତାର ଉପଯୋଗ କରି କିଛି ନିଆରା କରି ଦେଖାଇଛନ୍ତି। ପ୍ରସ୍ତୁତ କରିଛରି ଏପରି ଏକ ଆପ୍ ‘କରୋନା ଭାଇରସ୍ ହ୍ୟୁମାନ୍ ଡିଟେକ୍ଟର ସିଷ୍ଟମ୍’ ଯାହାଦ୍ୱାରା କଣ୍ଟେନମେଣ୍ଟ ଜୋନ୍ ଚିହ୍ନଟ କରିହେବ। ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହର ନିକଟ ପୁଇଁତଳା ଗ୍ରାମର ମୂଳ ନିବାସୀ ଭୂପେଶ ପଲାଇ ଓ ବାସନ୍ତୀ ପଲାଇଙ୍କ କନ୍ୟା ପ୍ରତିଭା ପଲାଇ। ଆପ୍ ଆଧାରିତ ଡିଭାଇସ୍ ପ୍ରୋଟୋଟାଇପ୍ ଜରିଆରେ ଲୋକଙ୍କୁ କଣ୍ଟେନମେଣ୍ଟ ଜୋନରୁ ଦୂରରେ ରହିବା ତଥା ଭାଇରସ୍ ସଂକ୍ରମଣରୁ ରୋକିବାରେ ସହାୟକ ହେବ।

କେହି ଲୋକ ବିଶେଷ କରି ଭିନ୍ନକ୍ଷମ ଓ ଦୃଷ୍ଟିହୀନମାନେ ସଙ୍ଗରୋଧ ଅଞ୍ଚଳରେ ପ୍ରବେଶ କଲେ ନାଲି ରଙ୍ଗର ଆଲୋକ ସାଙ୍ଗକୁ ସତର୍କ କରାଇଦେବା ଭଳି ଶବ୍ଦ ପ୍ରସାର କରିବ ପ୍ରତିଭାଙ୍କ ଦ୍ଵାରା ବିକଶିତ ଏହି ଆପ୍। ଏହି ଉପକରଣକୁ ମଲ୍, ଶିକ୍ଷାନୁଷ୍ଠାନ ଭଳି ଜନଗହଳି ସ୍ଥାନରେ ବି ଉପଯୋଗ କରିହେବ। ଫଳରେ ଉକ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେଇହେବ। ସମ୍ପ୍ରତି ପ୍ରତିଭା ଭୁବନେଶ୍ୱରର ଏକ ଆଧୁନିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପଢୁଛନ୍ତି। ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ପ୍ରତିଭା ୟୁ-ଟ୍ୟୁବ୍ ଅଲିମ୍ପିକ୍ସରେ ୧୫ଟି ଜାତୀୟ ଓ ଅନ୍ତର୍ଜାତୀୟ ପଦକ ଜିତି ସାରିଛନ୍ତି।

ସେହିପରି ପୁରୁଷୋତ୍ତମପୁର ବ୍ଲକ୍ ଭାଟକୁମରଡା ପଞ୍ଚାୟତ କଦାଳପଲ୍ଲୀ ଗାଁର ବି.ଟେକ୍ ଶିକ୍ଷିତ ବଳରାମ ସାହୁ ତିଆରି କରିଛନ୍ତି ମଲ୍ଟି ଫଙ୍କସନାଲ୍ ରୋବୋଟ୍। ଏହା ଯାବତୀୟ କାର୍ଯ୍ୟ କରିବା ସାଙ୍ଗକୁ କରୋନା ରୋଗୀଙ୍କୁ ଔଷଧ, ଖାଦ୍ୟ, ପାଣି ଦେବା ଭଳି କାର୍ଯ୍ୟ କରିପାରିବ ଯାହାଦ୍ଵାରା ରୋଗୀଙ୍କ ଠାରୁ ସଂକ୍ରମଣ ଅଧିକ ବ୍ୟାପିବନି। ରୋବୋଟରେ ସଂଯୁକ୍ତ ୱେବ୍ କ୍ୟାମେରା ଜରିଆରେ ଭିଡିଓ କନ୍‌ଫରେନ୍ସି ତଥା ଟେଲି କମ୍ୟୁନିକେସନ୍ ମାଧ୍ୟମରେ ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରିହେବ। ଅଡିଓ- ଭିଡିଓ କ୍ୟାପଚର୍, ୱାଇରଲେସ୍ ସିଷ୍ଟମରେ ଜୁମ୍ କରି ଚିକିତ୍ସାରେ ସହାୟତା କରିବ। ଆଇଆର୍ ସେନସର୍- ଅଟୋମେଟିକ୍ ସାନିଟାଇଜିଂ ସିଷ୍ଟମରେ ନିଜକୁ ଓ ଆଖପାଖକୁ ମଧ୍ୟ ବିଶୋଧିତ କରିହେବ।

ବ୍ରହ୍ମପୁର ଉପକଣ୍ଠ ଏକ ବୈଷୟିକ ଶିକ୍ଷାନୁଷ୍ଠାନ ମେକାନିକାଲ ବ୍ରାଞ୍ଚରେ ବି.ଟେକ୍ ପଢିଥିବା ବଳରାମ କହନ୍ତି ରୋବୋଟ୍‌ରେ ଆବଶ୍ୟକ ପ୍ରୋଗ୍ରାମିଂ ଫିଡ୍ ହୋଇଛି। କେହି ହାତ ମିଶାଇବାକୁ ଗଲେ ଏହା ନିଜ ହ୍ୟାଣ୍ଡକୁ ପଛକୁ ନେଇଯିବ, ଛୁଇଁବାକୁ ଗଲେ ହେଡ୍ ମୁଭମେଣ୍ଟ୍ ଜରିଆରେ ବାରଣ କରିବ। ମୋବାଇଲ୍ ସଫ୍ଟୱେର୍ ଜରିଆରେ ରୋବୋଟ୍‌କୁ ନିୟନ୍ତ୍ରଣ କରିହେବ। ଘରେ ଉପଲବ୍ଧ ପୁରୁଣା ଜିନିଷ ସହ ପ୍ରାୟ ୩ ହଜାର ଟଙ୍କାରେ କିଛି ନୂଆ ସାମଗ୍ରୀ କିଣି ସେ ଏହି ଡେମୋ ମଡେଲ୍ ତିଆରି କରିଛନ୍ତି। ବାପା ପଠାଣୀ ସାମନ୍ତ ସାହୁ ଏଥିପାଇଁ ତାଙ୍କୁ ଉତ୍ସାହିତ କରିଥିଲେ।

Comments are closed.