ଦୁଇ ମାସ ପରେ ସବୁଠୁ କମ୍ ମାମଲା, ୨୪ ଘଣ୍ଟାରେ ଆଉ ୧.୨୦ ଲକ୍ଷ ସଂକ୍ରମିତ ଚିହ୍ନଟ, ୩୩୮୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବାରେ ଲାଗିଛି । ଦୈନିକ ମାମଲାରେ ହ୍ରାସ ଘଟୁଛି । ଗତ ୨୪ ଘଣ୍ଟାରେ ଭାରତରେ ଆଉ ୧ ଲକ୍ଷ ୨୦ ହଜାର ୫୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରାୟ ତିନି ମାସ ପରେ ଏହି ସଂଖ୍ୟା ହେଉଛି ସବୁଠୁ କମ୍ । ଶେଷଥର ଏପ୍ରିଲ ୬ରେ ୧ ଲକ୍ଷ ୧୫ ହଜାର ମାମଲା ରିପୋର୍ଟ କରାଯାଇଥିଲା । ସଂକ୍ରମଣ କମୁଥିଲେ ବି ଦୈନିକ ମୃତ୍ୟୁସଂଖ୍ୟା ହାର ଥମୁନାହିଁ । ଦିନକରେ ଏହି ରୋଗରେ ପୁଣି ୩୩୮୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କରୋନାରୁ ପୁଣି ୧ ଲକ୍ଷ ୯୭ ହଜାର ୮୯୪ ଜଣ ଲୋକ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ମୁତାବକ, ଦେଶରେ ମୋଟ କରୋନା ମାମଲା ୨ କୋଟି ୮୬ ଲକ୍ଷ ୯୪ ହଜାର ୮୭୯କୁ ବୃଦ୍ଧି ପାଇଛି । ଏହି ରୋଗରେ ଏଯାବତ୍ ୩ ଲକ୍ଷ ୪୪ ହଜାର ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ୨ କୋଟି ୬୭ ଳକ୍ଷ ୯୫ ହଜାର ୫୪୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ୧୫ ଲକ୍ଷ ୫୫ ହଜାର ୨୪୮ ସକ୍ରିୟ ମାମଲା ଅଛି ।
କୋଭିଡ୍‌-୧୯ ବିରୋଧରେ ଦେଶରେ ଟିକାକରଣ ମଧ୍ୟ ଜାରି ରହିଛି । ଶୁକ୍ରବାର ସୁଦ୍ଧା ଦେଶରେ ୨୨ କୋଟି ୭୮ ଲକ୍ଷ ୬୦ ହଜାର ଟିକା ଡୋଜ୍ ଦିଆଯାଇଛି ।

Comments are closed.