ଉପରାଷ୍ଟ୍ରପତି ଭେଙ୍କୟା ନାୟୁଡୁଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ଚିହ୍ନ ହଟାଯିବା ନେଇ ବିବାଦ

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାୟୁଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ଚିହ୍ନ ହଟାଯିବା ନେଇ ବିବାଦ ସୃଷ୍ଟି ହୋଇଛି । ଗତକାଲି ଉପରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟ ରୁ ବ୍ଲୁ ଟିକ୍ ଚିହ୍ନ ହଟାଇ ଦିଆଯାଇଥିଲା । ଏହାକୁ ନେଇ ବିବାଦ ବଢ଼ିବା ପରେ ଟ୍ୱିଟର ପୁଣି ଭେଙ୍କୟା ନାୟୁଡୁଙ୍କ ଆକାଉଣ୍ଟ ଆଗରେ ବ୍ଲୁ ଟିକ୍ ଚିହ୍ନ ଲଗାଇଛି । କୌଣସି ଆକାଉଣ୍ଟ ଆଗରେ ବ୍ଲୁ ଟିକ୍ ଚିହ୍ନ ରହିବା ଅର୍ଥ ଉକ୍ତ ଆକାଉଣ୍ଟ ସମ୍ପୃକ୍ତ ବ୍ୟକ୍ତିଙ୍କ ଭେରିଫାଏଡ୍ ତଥା ଅସଲି ଆକାଉଣ୍ଟ ।

ଭେଙ୍କୟା ନାୟୁଡୁଙ୍କ ଆକାଉଣ୍ଟଦୀର୍ଘ ଦିନ ଧରି ସକ୍ରିୟ ନଥିବାରୁ ତାଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ଚିହ୍ନ ହଟାଇ ଦିଆଯାଇଥିଲା ବୋଲି ଟ୍ୱିଟର କହିଛି । ତେବେ ଏହାକୁ ନେଇ ପୁଣି ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ତିକ୍ତତା ବଢ଼ିଛି । ଏହି ମାମଲାରେ ଟ୍ୱିଟର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଚେତାବନୀ ଦେଇଛି । ଟ୍ୱିଟର ଜାଣିଶୁଣି ଭାରତର ଦ୍ୱିତୀୟ ସାମ୍ବିଧାନିକ ମୁଖ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ଚିହ୍ନ ହଟାଇଛି । ଉପରାଷ୍ଟ୍ରପତି ରାଜନୀତିରୁ ଊର୍ଦ୍ଧ୍ୱରେ । ସେ ସାମ୍ବିଧାନିକ ପଦରେ ଅଛନ୍ତି । ଆମେରିକାର ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ଆକାଉଣ୍ଟ ସହ ଟ୍ୱିଟର ଏଭଳି କରିପାରିବ କି ? ଟ୍ୱିଟର ଭାରତର ଧୈର୍ଯ୍ୟ ପରୀକ୍ଷା କରୁଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ବିବୃତିରେ କହିଛି ।
ପୂର୍ବରୁ ନୂଆ ଆଇଟି ନିୟମ ନେଇ କେନ୍ଦ୍ର ଓ ଟ୍ୱିଟର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Comments are closed.