ରୁଷ୍‌ର ଲୋକ ହିମାଚଳରେ ଭାକ୍ସିନ ନିର୍ମାତାଙ୍କୁ ଖୋଜି ବାହାର କରିପାରୁଛନ୍ତି, କିନ୍ତୁ କେନ୍ଦ୍ର ସରକାର ଏଥିରେ ବିଫଳ: ହାଇକୋର୍ଟ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସ୍ଥିତିର ପରିଚାଳନା ଯେଉଁଭଳି କରାଯାଉଛି, ସେନେଇ ଦିଲ୍ଲୀ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟିକାକରଣ ହିଁ କୋଭିଡ୍‌-୧୯ରୁ ବଞ୍ଚିବା ପାଇଁ ଏକମାତ୍ର ଉପାୟ ବୋଲି କେନ୍ଦ୍ର ସରକାର କହୁଥିବାବେଳେ ଭାକ୍ସିନ୍ ଅଭାବ ଯୋଗୁଁ ଦେଶରେ ଟିକାକରଣ ବାଧାପ୍ରାପ୍ତ ହେଉଛି । ରଷିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ୍ ଫଣ୍ଡ୍ (ଆଇଆରଡିଏଫ୍‌)ର ସହଯୋଗରେ ଭାରତୀୟ କମ୍ପାନୀ ‘ପାନାସି ବାୟୋଟେକ୍‌’ ଦ୍ୱାରା ସ୍ପୁଟନିକ୍‌-ଭି ଉତ୍ପାଦନ କରିବା ସମ୍ବନ୍ଧୀୟ ପ୍ରସଙ୍ଗରେ ଶୁଣାଣି ବେଳେ ହାଇକୋର୍ଟ ଏହା କହିଛନ୍ତି ।

ଜଷ୍ଟିସ୍ ମନମୋହନ ଓ ଜଷ୍ଟିସ୍ ନାଜମୀ ବଜିରୀଙ୍କ ଖଣ୍ଡପୀଠ କହିଛନ୍ତି, ଦ୍ୱିତୀୟ ଲହର ସଂକ୍ରମଣରେ ଯାହା ସବୁ ଦେଖିବାକୁ ମିଳୁଛି ସେଥିରେ ଆମେ ନିରାଶ । ଜଣେ ଦାୟିତ୍ୱସମ୍ପନ୍ନ ନାଗରିକ ଭାବେ ଆପଣଙ୍କୁ ମଧ୍ୟ ଏହା ଦେଖି ଦୁଃଖ ଲାଗୁଥିବ ଯେ, ଭାକ୍ସିନ ଅଭାବ ଯୋଗୁଁ ସମସ୍ତେ ପ୍ରଭାବିତ ହେଉଛନ୍ତି । ଏପରିକି ଦିଲ୍ଲୀରେ ବି ଟିକା ନାହିଁ । ଭାରତରେ ବହୁତ ଭଲ ଉତ୍ପାଦ ଅଛି, କେବଳ ହାତଧରି ସେମାନଙ୍କୁ ସହାୟତା କରିବାକୁ ପଡିବ ।

କୋର୍ଟ କହିଛନ୍ତି ରୁଷ୍‌ରୁ କେହି ଜଣେ ହିମାଚଳରେ ଭାକ୍ସିନ ନିର୍ମାତାଙ୍କ ସନ୍ଧାନ ପାଇପାରୁଛି, କିନ୍ତୁ ଏ ଦିଗରେ କେନ୍ଦ୍ର ବିଫଳ ହୋଇଛି । ଏହାସହ କୋର୍ଟ ସ୍ପୁଟନିକ୍‌-ଭି’ର ଉତ୍ପାଦନ ପାଇଁ ‘ପାନାସି ବାୟୋଟେକ’କୁ ୨୦୧୨ରୁ ସୁଧ ସହିତ ୧୪ କୋଟି ଟଙ୍କା ମଧ୍ୟସ୍ଥି ଟ୍ରିବ୍ୟୁନାଲ ପୁରସ୍କାର ରାଶି ଜାରି କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଭାକ୍ସିନ ପ୍ରସ୍ତୁତ କରିବା ପାଇଁ ‘ପାନାସି ବାୟୋଟେକ୍‌’କୁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଆଣିବାକୁ ପଡିବ ବୋଲି ଅଦାଲତ କହିଛନ୍ତି ।

୨୦୧୦ରେ ‘ପାନାସି ବାୟୋଟେକ୍‌’ ଦ୍ୱାରା ଉତ୍ପାଦିତ ଏକ ଇନଫ୍ଲୁଏଞ୍ଜା ଟିକା ମାମଲାରେ ଏକ ମଧ୍ୟସ୍ଥି ଟ୍ରିବ୍ୟୁନାଲ ଏହି କମ୍ପାନୀକୁ ୧୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଥିଲା । ସ୍ପୁଟନିକ-ଭି ଟିକା ଉତ୍ପାଦନ ପାଇଁ ଏହି ସୁଧ ସହ ଉକ୍ତ ପୁରସ୍କାର ରାଶି ଶୀଘ୍ର ଦିଆଯାଉ ବୋଲି ‘ପାନାସି ବାୟୋଟେକ୍‌’ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା ।

Comments are closed.