ଦୁଇମାସ ପରେ ସର୍ବନିମ୍ନ ମାମଲା, ଆଉ ୧.୧୪ ଲକ୍ଷ ନୂଆ ଆକ୍ରାନ୍ତ, ୨୬୭୭ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଗ୍ରାଫ୍ କ୍ରମାଗତ ଭାବେ ଖସୁଛି । କିନ୍ତୁ ମୃତ୍ୟୁ ସଂଖ୍ୟା ହାର ଅପରିବର୍ତ୍ତିତ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧ ଲକ୍ଷ ୧୪ ହଜାର ୪୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ୫ ପରେ ଏହା ହେଉଛି ସବୁଠୁ କମ୍ ଦୈନିକ ମାମଲା । ଦିନକରେ ଏହି ରୋଗରେ ୨୬୭୭ ଜଣଙ୍କର ମୃତ୍ୟୁ ହୋଇଛି । କରୋନାରୁ ଆଉ ୧ ଲକ୍ଷ ୮୯ ହଜାର ୨୩୨ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଦେଶରେ ଏଯାବତ୍ ମୋଟ ୨ କୋଟି ୮୮ ଲକ୍ଷ ୯ ହଜାର ୩୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ କୋଟି ୬୯ ଲକ୍ଷ ୮୪ ହଜାର ୭୮୧ ଜଣ ସୁସ୍ଥ ହୋଇଥିବା ବେଳେ ୩ ଲକ୍ଷ ୪୬ ହଜାର ୭୫୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ସକ୍ରିୟ ମାମଲା ଖସୁଛି । ଏବେ ଭାରତରେ ୧୪ ଲକ୍ଷ ୭୭ ହଜାର ୭୯୯ ସକ୍ରିୟ ରୋଗୀ ଅଛନ୍ତି ।

ଭାରତରେ ମୃତ୍ୟୁଦର ୧.୨୦% ଥିବାବେଳେ ଆରୋଗ୍ୟ ହାର ୯୩% ଅଛି । ସକ୍ରିୟ ମାମଲା ହାର ଖସି ୬% ରୁ କମ୍ ରହିଛି । ମୋଟ ସକ୍ରିୟ ମାମଲାରେ ବିଶ୍ୱରେ ଭାରତର ସ୍ଥାନ ଦ୍ୱିତୀୟ ।
କୋଭିଡ୍‌-୧୯ ବିରୋଧରେ ଟିକାକରଣ ଜାରି ରହିଛି । ଜୁନ୍ ୫ ସୁଦ୍ଧ ଦେଶରେ ମୋଟ ୨୩ କୋଟି ୧୩ ଲକ୍ଷ ୨୨ ହଜାର ଟିକା ଡୋଜ୍ ଦିଆଯାଇଛି ।

Comments are closed.