କେନ୍ଦ୍ରକୁ କେଜ୍ରିୱାଲଙ୍କ ପ୍ରଶ୍ନ: ଯଦି ପିଜା, ବର୍ଗର ହୋମ୍ ଡେଲିଭରି ହେଇପାରୁଛି, ରାସନ୍ ସାମଗ୍ରୀ କାହିଁକି ନୁହଁ ?

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ‘ଘରୁ ଘର ରାସନ୍ ଯୋଜନା’ ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି । କେନ୍ଦ୍ରର ଏଭଳି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ସରକାର ସବୁ ପ୍ରସ୍ତୁତି କରିସାରିଥିବା ବେଳେ ଦୁଇ ଦିନ ଆଗରୁ କେନ୍ଦ୍ର କାହିଁକି ଏହା ଉପରେ ରୋକ୍ ଲଗାଇଲା ବୋଲି କେଜ୍ରିୱାଲ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।

କେଜ୍ରିୱାଲ କହିଛନ୍ତି, ଏହି ଯୋଜନା ପାଇଁ ଆମେ ପାଞ୍ଚ ଥର କେନ୍ଦ୍ର ଠାରୁ ଅନୁମତି ମାଗିଥିଲୁ । କିନ୍ତୁ ଆମେ ଅନୁମତି ଲୋଡ଼ିନଥିଲୁ ବୋଲି କେନ୍ଦ୍ର କହୁଛି । ଆସନ୍ତା ସପ୍ତାହ ଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେବାର ଥିଲା । ଏଥିପାଇଁ ସବୁ ପ୍ରସ୍ତୁତି ସରିଥିଲା । କିନ୍ତୁ ଦୁଇଦିନ ପୂର୍ବରୁ କେନ୍ଦ୍ର ହଠାତ୍ ଏହି ଯୋଜନା ଉପରେ ରୋକ୍ ଲଗାଇଦେଲା । ପ୍ରଧାନମନ୍ତ୍ରୀ ମହୋଦୟଙ୍କ ସହ ଆମେ କୌଣସି ବିବାଦ ଚାହୁଁନାହୁଁ । ଆମେ ଏହି ଯୋଜନାର ନାମ ‘ମୁଖ୍ୟମନ୍ତ୍ରୀ ଘରୁ ଘର ରାସନ ଯୋଜନା’ ରଖିଥିଲୁ । ହେଲେ କେନ୍ଦ୍ର ଆପତ୍ତି ଉଠାଇଥିଲା ଏବଂ ଯୋଜନା ଆଗରୁ ମୁଖ୍ୟମନ୍ତ୍ରୀ ନାମକୁ ହଟାଇବାକୁ କହିଥିଲା । ଆମେ ତାହା ବି ମାନିଲୁ । ଏବେ କେନ୍ଦ୍ର କହୁଛି ଏହି ଯୋଜନା ପାଇଁ ଆମେ ଅନୁମତି ନେଇ ନାହୁଁ । ଏହି ଦେଶରେ ଯଦି ସ୍ମାର୍ଟଫୋନ୍‌, ପିଜ୍ଜା, ବର୍ଗର ହୋମ୍ ଡେଲିଭରି ହୋଇପାରୁଛି, ରାସନ ସାମଗ୍ରୀ କାହିଁକି ଘରେ ବଣ୍ଟନ କରାଯାଇ ପାରିବ ନାହିଁ ବୋଲି କେଜ୍ରୱାଲ ପ୍ରଶ୍ନ କରିଛନ୍ତି । ରାସନ୍ ମାଫିଆଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଏତେ ସହାନୁଭୂତି କାହିଁକି ? ଗରିବ ଲୋକଙ୍କ ଦୁଃଖ ଏବେ କିଏ ଶୁଣିବ? କୋର୍ଟରେ ଏହି ଯୋଜନା ନେଇ କେନ୍ଦ୍ର ଆପତ୍ତି ଉଠାଇନଥିଲା ବେଳେ ଏବେ ଏହାକୁ କାହିଁକି ବିରୋଧ କରୁଛି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି ।

Comments are closed.