ରିଲିଫ୍ ସାମଗ୍ରୀ ଚୋରି ଅଭିଯୋଗରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ଭାଇଙ୍କ ନାମରେ ମାମଲା

କୋଲକାତା: ମ୍ୟୁନିସିପାଲିଟି ଅଫିସ୍‌ରୁ ଲକ୍ଷ ଲକ୍ଷ ଟଙ୍କାର ରିଲିଫ୍ ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ବିଜେପି ନେତା ତଥା ବିଧାୟକ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ପୂର୍ବ ମେଦିନିପୁର ଜିଲ୍ଲାରେ ମାମଲା ରୁଜୁ ହୋଇଛି । କାନ୍ତି ମ୍ୟୁନିସିପାଲିଟି ପ୍ରଶାସନିକ ବୋର୍ଡର ସଦସ୍ୟ ରତ୍ନଦୀପ ମାନ୍ନାଙ୍କ ଅଭିଯୋଗ କ୍ରମେ ଉଭୟଙ୍କ ବିରୋଧରେ ଏହି ମାମଲା କାନ୍ତି ପୋଲିସ୍ ଥାନାରେ ରୁଜୁ ହୋଇଛି ।

ଅଭିଯୋଗରେ କୁହାଯାଇଛି ଯେ, ମେ ୨୯ରେ ଦିନ ପ୍ରାୟ ୧୨ଟା ୩୦ ମିନିଟରେ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇ ତଥା କାନ୍ତି ମ୍ୟୁନିସିପାଲିଟିର ପୂର୍ବତନ ଚେୟାରମ୍ୟାନ ସୌମେନ୍ଦୁ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କାନ୍ତି ମ୍ୟୁନିସିପାଲ ଅଫିସ ଗୋଦାମରେ ରଖାଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ତାର୍ପଲିନ୍ ଲୁଟ୍ ହୋଇଥିଲା । ଏଥିରେ ଶୁଭେନ୍ଦୁ ଓ ତାଙ୍କ ଭାଇ ସେମାନଙ୍କ ସୁରକ୍ଷାରେ ନିୟୋଜିତ ସଶସ୍ତ୍ର ସୁରକ୍ଷାକର୍ମୀଙ୍କ ସହାୟତା ନେଇଥିଲେ ବୋଲି ଅଭିଯୋଗରେ କୁହାଯାଇଛି । ତେବେ ଏହି ଅଭିଯୋଗ ନେଇ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ ।

ରିଲିଫ୍ ସାମଗ୍ରୀ ହରିଲୁଟ୍ ନେଇ ବିଜେପି ବହୁଥର ଶାସକ ତୃଣମୂଳ କଂଗ୍ରେସ ବିରୋଧରେ ଅଭିଯୋଗ କରିଆସିଛି । ଏବେ ବିଜେପି ନେତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି ।

Comments are closed.