ଠକେଇ ମାମଲାରେ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ୭ ବର୍ଷ ଜେଲ୍‌

ଡର୍ବାନ: ଏକ ଠକେଇ ମାମଲାରେ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଦକ୍ଷିଣ ଆଫ୍ରିକାର ଏକ କୋର୍ଟ ୭ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ତାଙ୍କ ଉପରେ ୬୦ ଲକ୍ଷ ରାଣ୍ଡ୍ (୩.୨୨ କୋଟି)ର ଜରିମାନା ଲଗାଇଛନ୍ତି କୋର୍ଟ ।

ଡର୍ବାନର ଏକ କୋର୍ଟ ସୋମବାର ୫୬ ବର୍ଷୀୟା ଆଶିଷ ଲତା ରାମଗୋବିନଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏସ୍‌୍‌ଆର ମହାରାଜ ନାମକ ଜଣେ ଶିଳ୍ପପତିଙ୍କ ଠାରୁ ଆଶିଷ ଲତା ୬୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଭାରତରୁ ଆମଦାନି କିଛି ସାମଗ୍ରୀ ଉପରୁ ସୀମା ଶୁଳ୍କ ଓ ଅବକାରୀ ଶୁଳ୍କ ଛାଡ଼ କରାଇଦେବାକୁ କହି ମହାରାଜଙ୍କ ଠାରୁ ୬୨ ଲକ୍ଷ ଟଙ୍କା ଅଗ୍ରମୀ ଭାବେ ନେଇଥିଲେ ଆଶିଷ ଲତା । ମହାରାଜଙ୍କୁ କିଛି ଲାଭାଂଶ ଦେବେ ବୋଲି ମଧ୍ୟ ଆଶିଷ ଲତା ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଶିଷ ଲତା ଯେଉଁ ଆମଦାନୀ ସାମଗ୍ରୀ ବିଷୟରେ ମହାରାଜଙ୍କୁ କହିଥିଲେ, ତାହା ମିଛ ଥିଲା ବୋଲି ଜଣାପଡିଥିଲା ।

ଏସ୍‌ଆର ମହାରାଜ ନ୍ୟୁ ଆଫ୍ରିକା ଏଲାଏନ୍ସ ଫୁଟ୍‌ୱେୟାର ଡିଷ୍ଟ୍ରିବ୍ୟୁଟର ନାମକ ଏକ ବ୍ୟବସାୟିକ ସଂସ୍ଥାର ନିର୍ଦ୍ଦେଶକ । ତାଙ୍କର ଏହି କମ୍ପାନୀ ଚମଡ଼ା ଜାତୀୟ ପଦାର୍ଥ, ଚପଲ, ପୋଷାକ ବ୍ୟବସାୟ କରେ । ସେ ବିଦେଶରୁ ଏହି ସବୁ ସାମଗ୍ରୀ ଆମଦାନି କରି ଅନ୍ୟମାନଙ୍କୁ ବିକ୍ରି କରନ୍ତି ।

ଆଶିଷ ଲତା ହେଉଛନ୍ତି ଜଣାଶୁଣା ମାନବାଧିକାର କର୍ମୀ ଇଲା ଗାନ୍ଧୀ ଏବଂ ଦିବଂଗତ ମେୱା ରାମଗୋବିନ୍ଦଙ୍କ ଝିଅ ।

Comments are closed.