ଲକ୍ଷଦ୍ୱୀପ: ଫିଲ୍ମ ନିର୍ମାତା ଆୟେଶାଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ପ୍ରତିବାଦରେ ଦଳ ଛାଡ଼ିଲେ ବିଜେପିର ୧୫ ନେତା

ଥିରୁଭନନ୍ତପୁରମ: ଫିଲ୍ମ ନିର୍ମାତା ଆୟେଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବାକୁ ନେଇ ଲକ୍ଷଦ୍ୱୀପ ବିଜେପିରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି । ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ପ୍ରତିବାଦରେ ରାଜ୍ୟ ସମ୍ପାଦକ ଅବଦୁଲ ହାମିଦ୍ ମୁଲିପୁଜାଙ୍କ ସମେତ ଲକ୍ଷଦ୍ୱୀପ ବିଜେପିର ୧୫ ନେତା ଦଳ ଛାଡ଼ିଛନ୍ତି । ସୁଲତାନାଙ୍କ ବିରୋଧରେ ବିଜେପିର ଅଭିଯୋଗ ମିଛ ଏବଂ ଅଯୌକ୍ତିକ । ତାଙ୍କ ନାଁରେ ଦେଶଦ୍ରୋହ ମାମଲାକୁ ଆମେ ବିରୋଧ କରି ଦଳରୁ ଇସ୍ତଫା ଦେଇଛୁ ବୋଲି ମୁଲିପୁଜା କହିଛନ୍ତି ।

ଲକ୍ଷଦ୍ୱୀପ ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ‘ଜୈବିକ ଅସ୍ତ୍ର’ ବୋଲି କହିବାରୁ ସୁଲତାନାଙ୍କ ବିରୋଧରେ ରାଜ୍ୟ ବିଜେପି ଅଧ୍ୟକ୍ଷ ଅବଦୁଲ୍ ଖାଦର ଦେଶଦ୍ରୋହ ମାମଲା ରୁଜୁ କରିଥିଲେ ।

ଏକ ମାଲାୟାଲାମ ଚ୍ୟାନେଲର ଟିଭି ବିତର୍କରେ ଭାଗନେଇ ସୁଲତାନା କହିଥିଲେ ଯେ, ପ୍ରଫୁଲ ପଟେଲ ହେଉଛନ୍ତି ଏକ ‘ଜୈବିକ ଅସ୍ତ୍ର’, ଯାହାକୁ କେନ୍ଦ୍ର ଦ୍ୱାରା ଲକ୍ଷଦ୍ୱୀପରେ ପ୍ରୟୋଗ କରାଯାଇଛି । ଏଥିପାଇଁ ଲକ୍ଷଦ୍ୱୀପରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ପୂର୍ବରୁ ଲକ୍ଷଦ୍ୱୀପରେ ଗୋଟିଏ ବି କରୋନା ମାମଲା ନଥିଲା । ଏବେ ଦୈନିକ ୧୦୦ ମାମଲା ଚିହ୍ନଟ ହେଉଛି ବୋଲି ସୁଲତାନା ଟିଭି ବିତର୍କରେ କହିଥିଲେ ।

Comments are closed.