କରୋନା ଅପଡେଟ୍‌: ଦେଶରେ ଆଉ ୭୦,୪୧୨ ଆକ୍ରାନ୍ତ ଚିହ୍ନଟ, ୩୯୧୨ ମୃତ, ସକ୍ରିୟ ମାମଲା ୧୦ ଲକ୍ଷ ତଳେ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୭୦,୪୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ୧ ପରେ ସବୁଠୁ କମ୍ ଦୈନିକ ମାମଲା ରିପୋର୍ଟ ହୋଇଛି । ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିପାରୁ ନାହିଁ । ଦେଶରେ ଏବେ ବି ଦୈନିକ ତିନି ହଜାରରୁ ଊର୍ଦ୍ଧ୍ୱ ମୃତ୍ୟୁ ରେକର୍ଡ କରାଯାଉଛି । ଗତ ୨୪ ଘଣ୍ଟାରେ ଏହି ରୋଗରେ ଆଉ ୩୯୧୨ ଜଣଙ୍କର ମୃତ୍ୟୁ ହୋଇଛି । କ୍ରମାଗତ ତୃତୀୟ ଦିନ ପାଇଁ ଦେଶରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି । ଦିନକରେ କରୋନରୁ ସୁସ୍ଥ ହୋଇଛନ୍ତି ଆଉ ୧,୧୯,୫୦୧ ଲୋକ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୧୦ ହଜାର ୪୧୦କୁ ବୃଦ୍ଧି ପାଇଛି । କରୋନାରେ ଏଯାବତ୍ ୩ ଲକ୍ଷ ୭୪ ହଜାର ୩୦୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ କୋଟି ୮୧ ଲକ୍ଷ ୬୨ ହଜାର ୯୪୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ସକ୍ରିୟ ମାମଲା ୧୦ ଲକ୍ଷ ତଳକୁ ଖସିଛି । ସୋମବାର ସୁଦ୍ଧା ଦେଶଷର ୯ ଲକ୍ଷ ୭୩ ହଜାର ୧୮୫ ସକ୍ରିୟ ରୋଗୀ ଅଛନ୍ତି ।

ଭାରତରେ କୋଭିଡ୍‌-୧୯ ବିରୋଧରେ ଟିକାକରଣ ଜାରି ରହିଛି । ଜୁନ୍ ୧୩ ସୁଦ୍ଧା ଦେଶରେ ୨୫.୪୮ କୋଟି ଟିକା ଡୋଜ୍ ଦିଆଯାଇଛି । ଗତ ୨୪ ଘଣ୍ଟାରେ ଆଉ ୧୪ ଲକ୍ଷ ୯୯ ହଜାର ୭୭୧ ଡୋଜ୍ ଦିଆଯାଇଥିଲା ।

Comments are closed.