ପୁରୀ ଦେବଦାସୀ ପରମ୍ପରାର ଶେଷ ସନ୍ତକ ପରଶମଣିଙ୍କ ଦେହାନ୍ତ

ଶ୍ରୀମନ୍ଦିର ଦେବଦାସୀ ପରମ୍ପରାର ଶେଷ ସନ୍ତକ ପୂର୍ବତନ ଦେବଦାସୀ ପରଶମଣି ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀମନ୍ଦିର ଦେଵଦାସୀ ସେବା ଦୁଇ ଭାଗରେ ବିଭକ୍ତ ଥିଲା। ମହାପ୍ରଭୁଙ୍କ ଶୟନ ଓ ଲଷ୍ମୀ ନାରାୟଣ ବଚନୀକା ସମୟରେ ନୃତ୍ୟ ଓ ଲଷ୍ମୀଙ୍କ ବାଡ଼ରେ ବଚନୀକାରେ ଭାଗ ନେଉଥିବା ଦେଵଦାସୀଙ୍କୁ ଭିତର ଗାୟଣୀ ବା ଭିତର ଦେଵଦାସୀ କୁହାଯାଏ। ସେହିପରି ଚନ୍ଦନଯାତ୍ରା ଓ ପହଣ୍ଡି ସମୟରେ ଶ୍ରୀଜୀଉଙ୍କ ସମ୍ମୁଖରେ ନୃତ୍ୟ କରୁଥିବା ଦେଵଦାସୀ ଙ୍କୁ ବାହାର ଦେଵଦାସୀ କୁହାଯାଏ। ଶଶିମଣି ଦେଵଦାସୀଙ୍କ ମୃତ୍ୟୁ ପରେ ପରଶମଣି କିଛିଦିନ ପାଇଁ ବାହାର ଦେଵଦାସୀ ସେବା କରିଥିଲେ। କିଛି ଶାରୀରିକ ଅସୁସ୍ଥତା ଯୋଗୁଁ ଆଉ ଏହି ସେବା କରିପାରି ନଥିଲେ।। ଯାହା ଆଜି ପର୍ଯ୍ୟନ୍ତ ଏହିସେବା ହୋଇପାରୁ ନାହିଁ। ଦେବଦାସୀ ପରମ୍ପରାର ଶେଷ ସନ୍ତକ ହିସାବରେ ପରଶମଣି କେବଳ ବଞ୍ଚିଥିଲେ। ଆଜି ଏହି ମହାନ ଜଗନ୍ନାଥ ଭକ୍ତଙ୍କ ନିଧନ ଘଟିଲା। ଏକ ପରମ୍ପରା ସବୁଦିନ ପାଇଁ ବନ୍ଦ ହୋଇଗଲା। ପରଶମଣି ଦେଵଦାସୀ ଏକା ଧାରରେ ଜଣେ କୁଶଳୀ ଓଡିଶୀ ନୃତ୍ୟ ଶିଳ୍ପୀ ଓ ସୁକଣ୍ଠ ଗାୟିକା ଥିଲେ। ସୁସ୍ଥ ସମୟରେ ପ୍ରତିଦିନ ଶ୍ରୀମନ୍ଦିର ମାଜଣା ମଣ୍ଡପରେ ପୁରାତନ ଓଡିଶୀ ଭଜନ ଓ ଜଣାଣ ବୋଲି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ। ତାଙ୍କ ନିଧନରେ ଶ୍ରୀମନ୍ଦିର ସମେତ ପୁରୀରେ ଶୋକର ଛାୟା ଖେଳିଯାଇଛି।

Comments are closed.