ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ୍‌: କୋହଲି ଚତୁର୍ଥ ସ୍ଥାନକୁ ଉନ୍ନୀତ, ଶୀର୍ଷକୁ ଫେରିଲେ ସ୍ମିଥ୍‌

ଦୁବାଇ: ଆଇସିସି ପକ୍ଷରୁ ବୁଧବାର ଜାରି ସଦ୍ୟତମ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । କୋହଲି ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅନ୍ୟପକ୍ଷେ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଶୀର୍ଷ ସ୍ଥାନକୁ ଫେରିଛନ୍ତି । ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନଙ୍କୁ ହଟାଇ ସ୍ମିଥ୍ ପୁଣି ନମ୍ବର ୱାନ ବ୍ୟାଟ୍‌ସମ୍ୟାନ୍ ହୋଇଛନ୍ତି । ଭାରତ ବିପକ୍ଷ ଗତବର୍ଷ ବକ୍ସଂ ଡେ ଟେଷ୍ଟ ପରେ ପ୍ରଥମ ଥର ଶୀର୍ଷକୁ ଫେରିଛନ୍ତି ଏହି ଅଷ୍ଟ୍ରେଲୀୟ ଷ୍ଟାର ।

କୋହଲିଙ୍କ ନେତୃତ୍ୱରେ ଭାରତ ଜୁନ୍ ୧୮ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଖେଳିବ । ଏହି ମ୍ୟାଚ୍ ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯିବ ।
ଆଇସିସି ଟେଷ୍ଟ ବ୍ୟାଟିଂ ତାଲିକାର ଟପ୍‌-୧୦ରେ କୋହଲିଙ୍କ ବ୍ୟତୀତ ଭାରତର ଆଉ ଦୁଇ ବ୍ୟାଟ୍‌ସମ୍ୟାନ୍ ରିଷଭ ପନ୍ତ ଓ ରୋହିତ ଶର୍ମା ମଧ୍ୟ ଅଛନ୍ତି । ଉଭୟ ରିଷଭ ଓ ରୋହିତ ୭୪୭ ପଏଣ୍ଟ ସହ ମିଳିତ ଭାବେ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି ।
ବୋଲରଙ୍କ ତାଲିକାରେ ଭାରତର ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୮୫୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲୀୟ ପେସର୍ ପ୍ୟାଟ୍ କମିନ୍ସ ମଧ୍ୟ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଟପ୍‌-୧୦ରେ ଅଶ୍ୱିନ୍ ଏକମାତ୍ର ଭାରତୀୟ ।

ଅଲରାଉଣ୍ଡରଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ର ଜାସନ୍ ହୋଲ୍ଡର ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଭାରତର ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ଓ ଅଶ୍ୱିନ ଚତୁର୍ଥ ସ୍ଥାନରେ ସ୍ଥିର ଅଛନ୍ତି ।

Comments are closed.