ଦେବାଙ୍ଗନା, ନତାଶା ଏବଂ ଇକବାଲଙ୍କ ଜାମିନ ଉପରେ ରୋକ୍ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାମାଜିକ କର୍ମୀ ଦେବାଙ୍ଗନା କାଲିଟା, ନତାଶା ନରୱାଲ ଏବଂ ଛାତ୍ରନେତା ଆସିଫ ଇକବାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଥିବା ଜାମିନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।

ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କୌଣସି କୋର୍ଟରେ ଦୃଷ୍ଟାନ୍ତ ସ୍ୱରୂପ ଗ୍ରହଣ କରାଯିବ ନାହିଁ। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତଙ୍କ ଜେଲରୁ ମୁକ୍ତି ପ୍ରସଙ୍ଗରେ ଏବେ କୌଣସି ହସ୍ତକ୍ଷେପ କରାଯିବ ନାହିଁ। ବର୍ତ୍ତମାନ ଚୂଡ଼ାନ୍ତ ଆଦେଶକୁ ଅପେକ୍ଷା କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି।

ଦେବଙ୍ଗନା କଲିଟା, ନତାଶା ନରୱାଲ ଏବଂ ଆସିଫ ଇକବାଲଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ହେମନ୍ତ ଗୁପ୍ତା ଏବଂ ଭି ରାମାସୁବ୍ରମଣ୍ୟନଙ୍କ ଏକ ଭ୍ୟାକେସନ୍ ବେଞ୍ଚ ଆଜି ଦିଲ୍ଲୀ ପୋଲିସ କରିଥିବା ଆବେଦନର ଶୁଣାଣି କରିଥିଲେ ।

ଏହି ତିନି ଛାତ୍ରକର୍ମୀଙ୍କୁ ଜୁନ୍ ୧୫ରେ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ସେମାନଙ୍କୁ ଜୁନ୍ ୧୭ରେ ଦିଲ୍ଲୀର ତିହାର ଜେଲରୁ ମୁକ୍ତ କରାଯାଇଥିଲା। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଦିଲ୍ଲୀ ପୋଲିସ ପକ୍ଷରୁ ସୁପ୍ରିମକୋର୍ଟରେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ଦାବି କରିଥିଲେ।

ଜଷ୍ଟିସ ହେମନ୍ତ ଗୁପ୍ତାଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ ଏହି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର ପ୍ରଭାବ ସମଗ୍ର ଭାରତ ଉପରେ ପଡିପାରେ। ଆମେ ଏ ବିଷୟରେ ବିଜ୍ ନୋଟିସ୍ ଜାରି କରିବୁ ଏବଂ ସମସ୍ତ ପକ୍ଷର ଶୁଣାଣି କରିବୁ |

Comments are closed.