ରଥଯାତ୍ରା ବେଳେ କୋଭିଡ ପରିଚାଳନା ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ- ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ବସି ଆଗାମୀ ରଥଯାତ୍ରା ପାଇଁ କୋଭିଡ ପରିଚାଳନା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିନିଆଯାଇଛି । ରଥ ଯାତ୍ରା ସହ ଜଡିତ ସବୁ ନୀତିକାନ୍ତିର ୪୮ ଘଂଟା ପୂର୍ବରୁ ସଂପୃକ୍ତ ସେବାୟତ, ପୋଲିସ କର୍ମଚାରୀ ଓ ମନ୍ଦିର କର୍ମଚାରୀଙ୍କ ଆରଟି-ପିସିଆର୍ ଟେଷ୍ଟ କରାଯିବ । ସ୍ନାନଯାତ୍ରା, ଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା ପୂର୍ବରୁ ସମସ୍ତଙ୍କ କୋଭିଡ ଟେଷ୍ଟ କରାଯିବ । ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେର ୧୫ ଦିନ ପରେ ବି ସଂପୃକ୍ତ ସେବାୟତ, ପୋଲିସ କର୍ମଚାରୀ ଓ ମନ୍ଦିର କର୍ମଚାରୀଙ୍କ କୋଭିଡ ଟେଷ୍ଟ ହେବ । ସବୁ ସେବାୟତ ଓ ଅଧିକାରୀଙ୍କ ଟିକାକରଣ ଉପରେ ଫୋକସ୍ ରହିବ । ଉଚିତ ସମନ୍ୱୟ ପାଇଁ ନୋଡାଲ୍ ଅଫିସରଙ୍କୁ ନିଯୁକ୍ତି ଦିଆଯିବ । ରଥଯାତ୍ରା ବେଳେ ସ୍ୱତନ୍ତ୍ର ମେଡିକାଲ ପୋଷ୍ଟ ପ୍ରତିଷ୍ଠା ପାଇଁ ଏକ ବିସ୍ତୃତ ମାଇକ୍ରୋ ପ୍ଲାନ ପ୍ରସ୍ତୁତ ହେବ । ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ଆବଶ୍ୟକ ସଂଖ୍ୟକ ମାସ୍କ ସେବାୟତଙ୍କ ମଧ୍ୟରେ ବଂଟନ କରାଯିବ । ଆଜିର ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ସିଡିଏମଓ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.