ସ୍ୱିସ୍ ବ୍ୟାଙ୍କ୍‌ରେ ଭାରତୀୟଙ୍କ କଳାଧନ ପରିମାଣ ୧୩ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କ୍‌ରେ ଭାରତୀୟ ନାଗରିକ ଓ ଭାରତୀୟ କମ୍ପାନୀ ଗୁଡିକ ରଖିଥିବା କଳାଧନରେ ରେକର୍ଡ ବୃଦ୍ଧି ଘଟିଛି । ୨୦୨୦ରେ ଏହାର ପରିମାଣ ୨.୫୫ ବିଲିୟନ ସ୍ୱିସ୍ ଫ୍ରାଙ୍କ୍ (୨୦,୭୦୦ କୋଟି)କୁ ବୃଦ୍ଧି ପାଇଛି । କେବଳ ନଗଦ ଆକରରେ ନୁହେ, ବରଂ ସିକ୍ୟୁରିଟିଜ୍‌, ବଣ୍ଡ୍ ଏବଂ ଅନ୍ୟାନ୍ୟ ବିତ୍ତୀୟ ଉତ୍ପାଦ ମାଧ୍ୟମରେ ହୋଇଥିବା ଜମା ଯୋଗୁଁ କଳାଧନରେ ବୃଦ୍ଧି ଘଟିଛି । ତେବେ ଏହି ସମୟ ମଧ୍ୟରେ ଗ୍ରାହକଙ୍କ ଜମାରାଶି ହ୍ରାସ ପାଇଛି ବୋଲି ସ୍ୱିଜରଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ୍ ପକ୍ଷରୁ ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ କୁହାଯାଇଛି ।

ସ୍ୱିସ୍ ବ୍ୟାଙ୍କ୍‌ରେ କଳାଧନ ଭାରତୀୟ ଶଖା ଓ ଅନ୍ୟ ଆର୍ଥିକ ସଂସ୍ଥା ଜରିଆରେ ରଖା ଯାଉଛି । ସ୍ୱିସ୍ ବ୍ୟାଙ୍କ୍‌ରେ ଭାରତୀୟ ଗ୍ରାହକଙ୍କ ସମୁଦାୟ କଳାଧନ ପରିମାଣ ୨୦୧୯ ଶେଷ ସୁଦ୍ଧା ୮୯.୯ କୋଟି ସ୍ୱିସ୍ ଫ୍ରାଙ୍କ୍ (୬,୬୨୫ କୋଟି ଟଙ୍କା) ଥିଲା । ଏହା ୨୦୨୦ରେ ବଢ଼ି ୨.୫୫ ବିଲିୟନ୍ ସ୍ୱିସ୍ ଫ୍ରାଙ୍କ୍ (୨୦,୬୩୨ କୋଟି)ରେ ପହଞ୍ଚିଛି । ଏହା ପୂର୍ବରୁ ଏହି ରାଶିରେ ଲଗାତର ଦୁଇ ବର୍ଷ ହ୍ରାସ ଘଟିଥିଲା । ସ୍ୱିସ୍ ବ୍ୟାଙ୍କ୍‌ରେ ଭାରତୀୟଙ୍କ କଳାଧନ ପରିମାଣ ହେଉଛି ଗତ ୧୩ ବର୍ଷରେ ସର୍ବାଧିକ । ଏହାପୂର୍ବରୁ ୨୦୦୬ରେ ଏହି ରାଶି ରେକର୍ଡ ୬.୫ ବିଲିୟନ୍ ସ୍ୱିସ୍ ଫ୍ରାଙ୍କ୍‌କୁ ବୃଦ୍ଧି ପାଇଥିଲା । ଏହାପରେ ୨୦୧୧,୨୦୧୩ ଓ ୨୦୧୭କୁ ଛାଡ଼ି ଏଥିରେ କ୍ରମାଗତ ହ୍ରାସ ଘଟିଥିଲା ବୋଲି ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ।

ସ୍ୱିସ୍ ବ୍ୟାଙ୍କ୍‌ରେ କଳାଧନ ଜମା କରିବାରେ ବ୍ରିଟେନ୍ ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟରେ ଆମେରିକା ଅଛି । ଟପ୍‌-୧୦ରେ ଥିବା ଅନ୍ୟ ଦେଶଗୁଡିକ ହେଲେ ୱେଷ୍ଟଇଣ୍ଡିଜ୍‌, ଫ୍ରାନ୍ସ, ହଂକଂ, ଜର୍ମାନୀ, ସିଙ୍ଗାପୁର, ଲକ୍‌ଜମବର୍ଗ, କେମେନ ଆଇଲ୍ୟାଣ୍ଡ୍ ଏବଂ ବାହାମାସ୍ । ଭାରତ ଏହି ତାଲିକାରେ ୫୧ତମ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ, ନରେୱ, ସ୍ୱିଡେନ୍‌ଏ ଡେନମାର୍କ, ହଙ୍ଗେରୀ, ମରିସସ୍‌, ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଭଳି ଦେଶ ଠାରୁ ଭାରତ ଆଗରେ ରହିଛି ।

ଉଲ୍ଲେଖଯୋଗ୍ୟ, ୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ବିଜେପିର ଅନେକ ନେତା ବିଦେଶରେ ଜମା ଥିବା ଭାରତୀୟଙ୍କ କଳାଟଙ୍କା ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ କ୍ଷମତାରେ ୭ ବର୍ଷ ପୂରଣ କରିସାରିଥିଲେ ମଧ୍ୟ ଏନ୍‌ଡିଏ ସରକାର ଏହି ପ୍ରସଙ୍ଗରେ କୌଣସି ଆଖିଦୃଶିଆ ସଫଳତା ହାସଲ କରିପାରି ନାହିଁ । ବରଂ ସ୍ୱିସ୍ ବ୍ୟାଙ୍କ୍‌ରେ ଭାରତୀୟଙ୍କ କଳାଧନ ବଢ଼ିବାରେ ଲାଗିଛି ।

Comments are closed.