ଯାତ୍ରୀ ହେଉନାହାନ୍ତି, ବନ୍ଦ ହେବ ଦେଶର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍

ନୂଆଦିଲ୍ଲୀ – ଗତବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଥିବା ଦେଶର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ ସାତ ମାସ ପରେ ପୁଣି ଥରେ ବନ୍ଦ ହେବାକୁ ଯାଉଛି। ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ଲିମିଟେଡ୍ (ଆଇଆରସିଟିସି) ଲକ୍ଷ୍ନୌ- ଦିଲ୍ଲୀ ଏବଂ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ତେଜସ୍ ଏକ୍ସପ୍ରେସ ଚଳାଚଳ ବାତିଲ କରିବ ବୋଲି ଘୋଷଣା କରିଛି। ତେଜସ୍ ଏକ୍ସପ୍ରେସ ବନ୍ଦ କରାଯିବା ପଛରେ କାରଣ ହେଉଛି ଯାତ୍ରୀ ସଂଖ୍ୟା କମିବା । କରୋନା ମହାମାରୀକୁ ରୋକିବା ପାଇଁ ଦେଶବ୍ୟାପୀ ଲାଗୁ ହୋଇଥିବା ଲକଡାଉନ୍ ଯୋଗୁଁ ମାର୍ଚ୍ଚ ୧୯ରୁ ତେଜସ୍ ଏକ୍ସପ୍ରେସ ବନ୍ଦ ହୋଇଯାଇଥିଲା।

ମୁମ୍ବାଇ-ଅହମ୍ମଦାବାଦ ତେଜସ୍ ଏକ୍ସପ୍ରେସ ୧୭ ଅକ୍ଟୋବରରୁ ପୁନଃ ଚଳାଚଳ ଆରମ୍ଭ କରିଥିଲା ।
ଆଇଆରସିଟିସି କହିଛି ଯେ କରୋନୋ ଭାଇରସ ମହାମାରୀ ଯୋଗୁଁ ବହୁ ସିଟ୍ ଖାଲି ପଡୁଥିବାରୁ
ତେଜସ୍ ଟ୍ରେନର ସମସ୍ତ ପ୍ରସ୍ଥାନ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଇଆରସିଟିସି ପ୍ରଥମେ ଅକ୍ଟୋବର ୪, ୨୦୧୯ ରେ ଲକ୍ଷ୍ନୌ- ଦିଲ୍ଲୀ-ଲକ୍ଷ୍ନୌ  ଏବଂ ଚଳିତ ବର୍ଷ ଜାନୁଆରୀ ୧୯ରେ ଅହମ୍ମଦାବାଦ-ମୁମ୍ବାଇ-ଅହମ୍ମଦାବାଦ ରୁଟ୍ ରେ  ତେଜସ୍ ଏକ୍ସପ୍ରେସ୍ ଟ୍ରେନ ସେବା ଆରମ୍ଭ କରିଥିଲା ।

କରୋନା ବିସ୍ଫୋରଣ ଯୋଗୁଁ ପ୍ରାୟ ସାତ ମାସ ବନ୍ଦ ହେବା ପରେ ମୁମ୍ବାଇ-ଅହମ୍ମଦାବାଦ ତେଜସ୍ ଏକ୍ସପ୍ରେସ ଅକ୍ଟୋବର ୧୭ ରୁ ପୁଣି ଚାଲିଥିଲା । ଟ୍ରେନରେ ସାମାଜିକ ଦୂରତା ନିଶ୍ଚିତ କରିବାକୁ ଯାତ୍ରୀମାନେ କୋଚରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଥର୍ମାଲ୍ ସ୍କ୍ରିନିଂ ହେଉଥିଲା । ଥରେ ବସିବା ପରେ ସିଟ୍ ବଦଳାଇବାକୁ ଯାତ୍ରୀ ମାନଙ୍କୁ ଅନୁମତି ଦିଆଯାଉନଥିଲା । ଉଭୟ ଟ୍ରେନରେ ପ୍ରତ୍ୟେକ ବିକଳ୍ପ ସିଟ୍ ଖାଲି ରଖାଯାଉଥିଲା ।

Comments are closed.