ଟୋକିଓ ଅଲିମ୍ପିକ୍ସ ପାଇଁ କରୋନା ଟିକା ବାଧ୍ୟତାମୂଳକ ନୁହେଁ: ବାକ୍

ଟୋକିଓ –  ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଆଥଲେଟ୍ ମାନଙ୍କ ପାଇଁ କରୋନା ଟିକା ନେବା ବାଧ୍ୟତାମୂଳକ ନୁହେଁ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ମୁଖ୍ୟ ଥୋମାସ୍ ବାକ୍ କହିଛନ୍ତି । କରୋନା ମହାମାରୀ ପ୍ରଭାବିତ ଏହି କ୍ରୀଡ଼ା ମହାକୁମ୍ଭର ଆୟୋଜକଙ୍କ ମନୋବଳ ବଢାଇବାକୁ ଟୋକିଓ ଆସିଥିବା ବାକ୍ କହିଛନ୍ତି, କରୋନା ଟିକା ନେବା ଆଥଲେଟ ଓ ଏହି ଅଲିମ୍ପିକ୍ସ ସହ ଜଡିତ ଅନ୍ୟମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି  । ଏଥିପାଇଁ ସେମାନଙ୍କୁ ବାଧ୍ୟ କରାଯିବନି ବୋଲି ଅଲିମ୍ପିକ୍ କ୍ରୀଡ଼ାଗ୍ରାମ ପରିଦର୍ଶନ ଅବସରରେ ବାକ୍ କହିଛନ୍ତି । ତଥାପି ସେ ଆଥଲେଟଙ୍କୁ କରୋନା ଟିକା ନେବାକୁ ଅପିଲ କରିବେ । କାରଣ ଏହା ଆୟୋଜକ ଓ ଅନ୍ୟ ପ୍ରତିଯୋଗୀଙ୍କ ପ୍ରତି ଏକ ସମ୍ମାନସୂଚକ ପଦକ୍ଷେପ ହେବ ।

କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଟୋକିଓ ଅଲିମ୍ପିକ୍ସକୁ ବର୍ଷେ ସ୍ଥଗିତ ରଖାଯାଇଛି । ଏହି କ୍ରୀଡ଼ା ମହାକୁମ୍ଭ ଆସନ୍ତାବର୍ଷ ଜୁଲାଇରୁ ଆରମ୍ଭ ହେବ । ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ ଏକ ଅଲିମ୍ପିକ୍ସ ସଂସ୍କରଣକୁ ସ୍ଥଗିତ ରଖାଯାଇଛି । କରୋନା ଭୟାବହତା ସତ୍ତ୍ୱେ ଆସନ୍ତାବର୍ଷ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଟୋକିଓ ଅଲିମ୍ପିକ୍ସ ହେବ ବୋଲି ବାକ୍ ଓ ଆୟୋଜକ ଆଶାବ୍ୟକ୍ତ କରିଛନ୍ତି । ନିକଟରେ ଅନେକ ଔଷଧ କମ୍ପାନୀ ତରଫରୁ କରୋନା ଟିକା ନେଇ ଭଲ ଖବର ଆସିବା ଏବଂ ଚଳିତ ମାସରେ ଟୋକିଓରେ ସଫଳତାର ସହ ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ସ ଇଭେଣ୍ଟ ଆୟୋଜିତ ହେବା ଟୋକିଓ ଅଲିମ୍ପିକ୍ସ ପାଇଁ ଶୁଭ ସଙ୍କେତ ବୋଲି ବାକ୍ କହିଛନ୍ତି ।

Comments are closed.