ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ପାଳି ସମ୍ଭାଳିଲେ କୋହଲି, ରାହାଣେ, ଭାରତ ୧୪୬/୩

ସାଉଥମ୍ପଟନ,୧୯ ।୬: ପ୍ରଥମ ଦିନ ବର୍ଷାରେ ଧୋଇ ହୋଇଯିବା ପରେ ବିଶ୍ୱ ଟେଷ୍ଟ ଚାମ୍ପୟନସିପ ଫାଇନାଲର ଦ୍ୱିତୀୟ ଦିବସର ଖେଳ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ମାତ୍ର ୬୪.୪ ଓଭର ସମ୍ଭବ ହୋଇଛି । ଖରାପ ଆଲୋକ ଯୋଗୁଁ ଦ୍ବିତୀୟ ଦିନର ଖେଳ ଆଗୁଆ ଶେଷ ହୋଇଛି । ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୩ ୱିକେଟ୍ ହରାଇ ୧୪୬ ରନ୍ କରିନେଇଛି । ଭାରତ ଏକ ଚାଲେଞ୍ଜିଂ ପିଚରେ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇ ୧୦୦ ରନ୍ ମଧ୍ୟରେ ୩ଟି ଓ୍ବିକେଟ୍ ହରାଇ ଦେଇଥିଲା । ତେବେ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ଅଜିଙ୍କ୍ୟ ରାହାଣେ ସ୍ଥିତି ସମ୍ଭାଳି ନେଇଛନ୍ତି । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା କୋହଲି ୪୪ ଏବଂ ରାହାଣେ ୨୯ ରନ୍ କରି ଅପରାଜିତ ଅଛନ୍ତି ।

ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ । ୱିଲିୟମସନଙ୍କ ଏହି ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ନଥିଲା । କାରଣ ପାଗ ମେଘୁଆ ରହିଥିବା ବେଳେ ଗତକାଲି ଲଗାଣ ବର୍ଷା ଯୋଗୁଁ ପିଚରେ ଆର୍ଦ୍ରତା ଥିବାରୁ ପରିବେଶ ସୁଇଂ ବୋଲରଙ୍କ ପାଇଁ ଅନୁକୂଳ ଥିଲା । ତଥାପି ଟିମ୍ ଇଣ୍ଡିଆର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମାନ ଗିଲ୍ ଦଳକୁ ଦୃଢ ଷ୍ଟାର୍ଟ ଦେଇଥିଲେ । ଦୁହେଁ ସକାରାତ୍ମକ ଆଭିମୁଖ୍ୟ ସହ ନ୍ୟୁଜିଲାଣ୍ଡ ପେସରଙ୍କ ସାମ୍ନାକ କରିଥିଲେ । ରୋହିତ ଓ ଶୁଭମାନ ପ୍ରଥମ ୱିକେଟରେ ୬୨ ରନ୍ ଯୋଗ କରିଥିଲେ । ଉଭୟ ସ୍କୋରକୁ ଆଗେଇ ନେବେ ବୋଲି ମନେ କରାଯାଉଥିବାବେଳେ ରୋହିତଙ୍କୁ ଆଉଟ୍ କରି କାଇଲ ଜାମିସନ ଏହି ଯୋଡି ଭାଙ୍ଗିଥିଲେ । ରୋହିତ ୬ଟି ଚୌକା ସହ ୩୪ ରନ କରି ୱିକେଟକିପରଙ୍କ ହାତକୁ କ୍ୟାଚ୍ ଦେଇଥିଲେ । ଏହାର ତିନି ଓଭର ପରେ ଗିଲଙ୍କୁ ନିଲ ୱାଗନର ନିଜ ଶିକାର ବନାଇଥିଲେ । ଗିଲ୍ ୨୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ତିନି ଓଭର ବ୍ୟବଧାନରେ ଦୁଇ ଓପନରଙ୍କୁ ହରାଇବା ପରେ ଚେତେଶ୍ୱର ପୂଜାରାଙ୍କ ସହ କ୍ରିଜରେ ଯୋଗ ଦେଇଥିଲେ କ୍ୟାପଟେନ୍ କୋହଲି ।
ପୂଜାରା ନିଜ ପ୍ରଥମ ରନ୍ ପାଇଁ ୨୧ଟି ବଲ୍ ଖେଳିଥିଲେ । ହେଲେ ସେ ବେଶି ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ପୂଜାରା ୮ ରନ୍ କରିଥିବା ବେଳେ ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ଲେଗ୍ ବିଫୋର ହୋଇଯାଇଥିଲା । ୬୨/୦ରୁ ଭାରତର ସ୍କୋର ହଠାତ ୮୮/୩ ହୋଇଯାଇଥିଲା । ହେଲେ କୋହଲି ଓ ରାହାଣେ ପାଳି ସମ୍ଭାଳି ନେଇଛନ୍ତି । ଏହି ଦୁଇ ସିନିୟର ବ୍ୟାଟ୍ସମ୍ୟାନ୍ ଚତୁର୍ଥ ୱିକେଟ୍ ଭାଗିଦାରୀରେ ଏଯାବତ୍ ୫୮ ରନ୍ ଯୋଗ କରିଛନ୍ତି ।

ଲଗାଣ ବର୍ଷା ଯୋଗୁଁ ଗତକାଲି ପ୍ରଥମ ଦିନର ଖେଳ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା । ଅବଶ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପାଇଁ ଗୋଟିଏ ରିଜର୍ଭ ଦିବସ ରଖାଯାଇଛି । ଯଦି ଏହି ମ୍ୟାଚ୍ ଡ୍ର କିମ୍ବା ଟାଇ ହୁଏ ତେବେ ଉଭୟ ଦଳକୁ ବିଜେତା ଘୋଷିତ କରାଯିବ ।

Comments are closed.