କରୋନା ଅପଡେଟ୍‌: ୯୧ ଦିନ ପରେ ସବୁଠୁ କମ୍ ମାମଲା, ଦେଶରେ ଆଉ ୪୨,୬୪୦ ଆକ୍ରାନ୍ତ ଚିହ୍ନଟ, ୧୧୬୭ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରୀ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ଆଉ ୪୨,୬୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ୯୧ ଦିନ ପରେ ସର୍ବନିମ୍ନ । ଶେଷଥର ମାର୍ଚ୍ଚ ୨୨ରେ ୪୦,୭୧୫ ମାମଲା ରିପୋର୍ଟ ହୋଇଥିଲା ।
କୋଭିଡ୍‌-୧୯ ଯୋଗୁଁ ଦିନକରେ ଆଉ ୧୧୬୭ ଲୋକଙ୍କ ମୃତ୍ୟୁ ହୋଇଛି । ସେପଟେ ୮୧,୮୩୯ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି ।

ଦେଶରେ କରୋନା ମୃତ୍ୟୁ ହାର ୧.୩୦ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ହେଉଛି ୯୬ ପ୍ରତିଶତ । ସକ୍ରିୟ ମାମଲା ୩%ରୁ କମ୍ ଅଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଦେଶରେ ମୋଟ କରୋନା ମାମଲା ୨ କୋଟି ୯୯ ଲକ୍ଷ ୭୭ ହଜାର ୮୬୧କୁ ବୃଦ୍ଧି ପାଇଛି । କରୋନା ଯୋଗୁଁ ଏଯାବତ ୩ ଲକ୍ଷ ୮୯ ହଜାର ୩୦୨ ଲୋକଙ୍କ ମୃତ୍ୟୁ ହୋଇଛି । ସମୁଦାୟ ୨ କୋଟି ୮୯ ଲକ୍ଷ ୨୬ ହଜାର ୩୮ ଜଣ ସୁସ୍ଥ ହୋଇଛନ୍ତି ।

ଭାରତରେ ଜୁନ୍ ୨୧ରୁ ନୂଆ ଟିକାକରଣ ନୀତି ଲାଗୁ ହୋଇଛି । ପ୍ରଥମ ଦିନରେ ହିଁ ରେକର୍ଡ ଟିକାଦାନ କରାଯାଇଛି । ଜୁନ୍ ୨୧ରେ ଦେଶରେ ରେକର୍ଡ ୮୬ ଲକ୍ଷ ୧୬ ହଜାର ଟିକା ଦିଆଯାଇଛି । ଏଯାବତ୍ ସର୍ବମୋଟ ୨୮ କୋଟି ୮୭ ଲକ୍ଷ ଟିକା ଡୋଜ୍ ପ୍ରଦାନ କରାଯାଇଛି ।

Comments are closed.