ମହାମାରୀ କାଳରେ ବି ଚମକୁଛନ୍ତି ପ୍ରତିଭା

ପ୍ରତିଭା ଯଦି ଈଶ୍ବରଦତ୍ତ ଥାଏ, ସେଥିରେ ଯୋଗ୍ୟ ବ୍ୟକ୍ତିଙ୍କ ନିଷ୍ଠା ଥାଏ ତେବେ ଯେତେ ପ୍ରତିକୂଳ ପରିସ୍ଥିତି ହେଉ ନା କାହିଁକି, ଯେତେ କଠିନ ସମୟ ହେଉ ପଛେ ତାହା ଚମକି ଉଠିବ ନିଶ୍ଚୟ। ପଙ୍କରେ ପଦ୍ମ ଫୁଟିବା ଭଳି ବିକଶିତ ହେବା ଥୟ। କରୋନା ମହାମାରୀ କାଳରେ ଯେତେବେଳେ ସମଗ୍ର ବିଶ୍ୱ ତ୍ରସ୍ତ, ସେତେବେଳେ କିଛି ସକରାତ୍ମକ ବିକାଶ ଭଳି ଅନେକ ସ୍ଵକୀୟ ପ୍ରତିଭା ସମସ୍ତଙ୍କ ନଜରକୁ ଆସିବା ସହ ଚର୍ଚ୍ଚିତ ହୋଇଛି। ବିଭିନ୍ନ ରେକର୍ଡ ବୁକ୍‌ରେ ନିଜ ନାମ ଲିପିବଦ୍ଧ କରାଇଛନ୍ତି।

ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ଏସିଆ ବୁକ୍ ଅଫ୍ ରେକର୍ଡସରେ ‘ଗ୍ରାଣ୍ଡ ମାଷ୍ଟର’ ଟାଇଟଲ୍ ହାସଲ କରିଛନ୍ତି। ନିକଟରେ ସେ ତିଆରି କରିଥିଲେ ଗୋଟିଏ କାଠ ଖଣ୍ଡରେ ୧୨ଟି ଦେବତାଙ୍କ କ୍ଷୁଦ୍ରାତିକ୍ଷୁଦ୍ର କଳାକୃତି। ତାହା ଏତେ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ ଥିଲା ଯେ ଏସିଆ ବୁକ୍ ଅଫ୍ ରେକର୍ଡସ୍ କର୍ତ୍ତୃପକ୍ଷ ସତ୍ୟଙ୍କୁ ଏହି ଟାଇଟଲ୍ ଦେବାକୁ ଯୋଗ୍ୟ ବିବେଚିତ କରିଥିଲେ। ସେଥିରେ ରହିଛି ପ୍ରତ୍ୟେକ ୧ ସେଣ୍ଟିମିଟର ଉଚ୍ଚ ଶ୍ରୀଜଗନ୍ନାଥ, ମହାଦେବ ଓ ଶ୍ରୀଗଣେଶ, ୧.୧ ସେମି ବୁଢ଼ୀ ଠାକୁରାଣୀ, ୧.୩ ସେମି ଉଚ୍ଚ ହନୁମାନ ଓ ଦେବୀ ଦୁର୍ଗା, ୧.୭ ସେମି ଶ୍ରୀରାମ, ୧.୮ ସେମି ଦେବୀ କାଳୀ, ୨.୩ ସେମି ବୁଦ୍ଧଦେବ, ୨.୭ ସେମି ମା’ ଲକ୍ଷ୍ମୀ, ୨.୮ ସେମି ଉଚ୍ଚ ଦେବୀ ସରସ୍ୱତୀ, ୩.୨ ସେଣ୍ଟିମିଟର ଉଚ୍ଚ ଶ୍ରୀକୃଷ୍ଣଙ୍କ କଳାକୃତି। ମୂଳତଃ ସୋରଡ଼ା ନିବାସୀ ସତ୍ୟ ପୂର୍ବରୁ ଅନେକ ବାଲୁକା କଳା, ସ୍ମୋକ୍ ଆର୍ଟ, ଲିଫ୍ ଆର୍ଟ, ଚକଖଡ଼ି ଓ ପେନ୍‌ସିଲ ମୁନରେ ଅତି କ୍ଷୁଦ୍ର କାରୁକାର୍ଯ୍ୟ କରି ରେକର୍ଡ କରିଛନ୍ତି। ଏବେ ତାଙ୍କ ରେକର୍ଡ ଫର୍ଦ୍ଦରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଯାଇଛି।

ସବୁବେଳେ କିଛି ନୂଆ କରିବା ପ୍ରୟାସରେ ରହୁଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ କଣ୍ଟେଇକୋଳି ଗ୍ରାମର ଭାସ୍କର ସାହୁଙ୍କ ପୁତ୍ର ଅରୁଣ କୁମାର ସାହୁ କାଠ ଖଣ୍ଡରେ ଗୋସ୍ୱାମୀ ତୁଳସୀ ଦାସ କୃତ ହନୁମାନ ଚାଳିଶାକୁ ଖୋଦେଇ କରିଛନ୍ତି। ତିଆରି କରିଛନ୍ତି ୫ ପୃଷ୍ଠା ଓ ୨ଟି ମଲାଟ ସମ୍ବଳିତ ୧୦.୫ ଇଞ୍ଚ ଦୈର୍ଘ୍ୟ, ୯ ଇଞ୍ଚ ପ୍ରସ୍ଥ ଓ ୨.୫ ଇଞ୍ଚ ମୋଟା କାଠରେ ଖୋଦେଇ ହୋଇଥିବା ହନୁମାନ ଚାଳିଶା କ୍ଷୁଦ୍ର ପୁସ୍ତକ। ମଲାଟ ଉପରେ ମଧ୍ୟ ସେ ହନୁମାନଙ୍କ ପ୍ରତିକୃତି କରିଛନ୍ତି। ଏହି ସୁନ୍ଦର ଆକର୍ଷଣୀୟ କଳାକୃତିକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦେବା ପାଇଁ ଯୋଜନା ରଖିଛନ୍ତି। ପୂର୍ବରୁ ମଧ୍ୟ ତାଜମହଲ, ଆଇଫିଲ୍ ଟାୱାର, ଓଡ଼ିଶା ବିଧାନ ସୌଧ, ଧଉଳି ଶାନ୍ତି ସ୍ତୂପ ପରି ବିଭିନ୍ନ ଐତିହ୍ୟର ପ୍ରତିକୃତି ପ୍ରସ୍ତୁତ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଅରୁଣ।

ବ୍ରହ୍ମପୁର ସାନରେଡିକା ସାହିର ଆଉ ଜଣେ ଯୁବ ପ୍ରତିଭା ଦିଲ୍ଲୀପ ମହାରଣା। ନିକଟରେ ପାଇଛନ୍ତି ଏସିଆ ବୁକ୍ ଅଫ୍ ରେକର୍ଡସ୍ ଗ୍ରାଣ୍ଡମାଷ୍ଟର ମାନ୍ୟତା। କାରଣ ବିଶ୍ଵର ସବୁଠାରୁ କ୍ଷୁଦ୍ରତମ କାଠରେ ତିଆରି ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିକୃତି ପ୍ରସ୍ତୁତ କରିଛନ୍ତି ସେ। କାଠ କାରିଗର ଭଗବାନ ମହାରଣାଙ୍କ ସାନ ପୁଅ ଦିଲ୍ଲୀପ ମାତ୍ର ୮ ବର୍ଷ ବୟସରେ ମାମୁ ସନ୍ୟାସୀ ମହାରଣା ଏବଂ ବଡ଼ ଭାଇ ମନୋଜଙ୍କ ପ୍ରେରଣାକ୍ରମେ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଅବିକଳ ପ୍ରତିକୃତି ତିଆରି କରିଥିଲେ। ଏହାର ଉଚ୍ଚତା ୩ ଇଞ୍ଚ ଥିବା ବେଳେ ଲମ୍ବା ଅଟେ ୫ ଇଞ୍ଚ। ଆଗାମୀ ଦିନରେ ଏଭଳି ଆହୁରି କଳାକୃତି କରି ରାଜ୍ୟ ପାଇଁ ଗୌରବ ଆଣିବାକୁ ସେ ଆଶାବାଦୀ।

Comments are closed.