କୋଭାକ୍ସିନ ଟିକା ୭୭.୮% ପ୍ରଭାବୀ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟକୁ ବିଶେଷଜ୍ଞ କମିଟିର ମଞ୍ଜୁରି

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ କମ୍ପାନୀ ଭରତ ବାୟୋଟେକର କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳ ପ୍ରକାଶ ପାଇଛି । ଏହି ଟିକା କୋଭିଡ୍-୧୯ ବିରୋଧରେ ୭୭.୮% ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ମଙ୍ଗଳବାର ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ର ବିଶେଷଜ୍ଞ କମିଟି (ଏସ୍ଇସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ତଥ୍ୟକୁ ମଞ୍ଜୁରି ଦିଆଯାଇଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସହଯୋଗରେ ଭାରତ ବାୟୋଟେକ୍ କୋଭାକ୍ସିନ୍ ଟିକା ବିକଶିତ କରିଛି |

କୋଭାକ୍ସିନ୍ ର ପର୍ଯ୍ୟାୟ -୩ ପରୀକ୍ଷଣ ତଥ୍ୟକୁ ନେଇ ଅନେକ ଥର ପ୍ରଶ୍ନ ଉଠିଛି | ପ୍ରକାଶ ଥାଉକି, କିଛି ଦିନ ପୂର୍ବରୁ କମ୍ପାନୀ କହିଥିଲା ଯେ ଏହି ଟିକାର ନିରାପତ୍ତା ଏବଂ ପ୍ରଭାବକୁ ନେଇ କମ୍ପାନୀ ୯ ଗବେଷଣା ପତ୍ର ପ୍ରକାଶ କରିଛି | ଜୁନ୍ ୧୧ରେ, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ ପାଲ୍ ମଧ୍ୟ କହିଥିଲେ ଯେ ଖୁବ୍ ଶୀଘ୍ର କୋଭାକ୍ସିନ୍ ପରୀକ୍ଷା ପାଇଁ ତୃତୀୟ ପର୍ଯ୍ୟାୟ ତଥ୍ୟ ପ୍ରକାଶ ପାଇବ।

ଏହାପୂର୍ବରୁ ମାର୍ଚ୍ଚରେ ଭରତ ବାୟୋଟେକ୍ ପର୍ଯ୍ୟାୟ -୩ ପରୀକ୍ଷଣର ମଧ୍ୟବର୍ତ୍ତୀ ଫଳାଫଳ ପ୍ରକାଶ କରିଥିଲା। ପ୍ରାଥମିକ ତଥ୍ୟରେ କୁହାଯାଇଥିଲା ଯେ କରୋନା ସଂକ୍ରମଣରୁ ରକ୍ଷା କରିବାରେ କୋଭାକ୍ସିନ ୮୧% ପ୍ରଭାବଶାଳୀ । ଏଥି ସହିତ, ଟିକା ସଂକ୍ରମଣ ପରେ ଗୁରୁତର ରୋଗ କିମ୍ବା ଡାକ୍ତରଖାନାରେ ଭର୍ତ୍ତି ହେବାରୁ ୧୦୦% ସୁରକ୍ଷା ଯୋଗାଇଥାଏ |

Comments are closed.