ପ୍ରଧାନଶିକ୍ଷକଙ୍କ ନିଆରା ଶିକ୍ଷାଦାନ

ଶିକ୍ଷା କେବେ ବି ପିଲାଙ୍କ ସକାଶେ ବୋଝ ନହୋଇ ଆନନ୍ଦପ୍ରଦ ହେବା ଆବଶ୍ୟକ। ତେବେ ଯାଇ ସେମାନେ ଶିକ୍ଷାକୁ ସଠିକ ଭାବେ ଗ୍ରହଣ କରିବେ ଓ ପାଠପଢ଼ା କ୍ଷେତ୍ରରେ ସେମାନଙ୍କ ଅଗ୍ରଗତି ସମ୍ଭବ ହୋଇପାରିବ। ଅମୀର ଖାନ୍‌ଙ୍କ ଅଭିନୀତ ଥ୍ରୀ- ଇଡିଅଟସ୍ ହିନ୍ଦୀ ଚଳଚ୍ଚିତ୍ର କୁହନ୍ତୁ ବା ଜ୍ୟୋତିକା ଅଭିନୀତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଗୀତା ଦେବୀ… ଏହାର ଗୋଟିଏ ଗୋଟିଏ ନଜିର କୁହାଯାଇ ପାରେ। ହେଲେ ଏଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମନରେ କିଛି ନିଆରା ଚିନ୍ତାଧାରା ଉଦ୍ରେକ ହେବା ବିଧେୟ। ଏମିତି ଜଣେ ଶିକ୍ଷକଙ୍କ ଉଦାହରଣ ହେଉଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ମୁଣ୍ଡମରାଇ ଗ୍ରାମସ୍ଥିତ ଦେଓପାଟଣା ବିଦ୍ୟାଳୟର ପ୍ରଧାନଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ। ଯେତେବେଳେ ସରକାର ପିଲାଙ୍କ ପଢ଼ିବା ପାଇଁ ବିଭିନ୍ନ ସ୍ମାର୍ଟ ଫୋନ୍ ବା ଆଣ୍ଡ୍ରଏଡ୍ ଫୋନ୍ ଆପ୍ ପ୍ରଚଳନ କରିଛନ୍ତି, ୟୁ-ଟ୍ୟୁବରେ ଶିକ୍ଷାଦାନ ସକାଶେ ବ୍ୟବସ୍ଥା କରିଛନ୍ତି ସେତେବେଳେ କେତେକଙ୍କ ପାଇଁ ଇଣ୍ଟରନେଟ୍ ସଂଯୋଗ ସମସ୍ୟା ବାଧକ ସାଜୁଛି ତ କେତେକଙ୍କ ପାଇଁ ଦାମୀ ଫୋନ୍ ଅଭାବ ସାଜୁଛି ବାଧକ। ହେଲେ ପିଲାଏ ଯେପରି ଅଧିକ ସୁବିଧାରେ ନିଜ ନିଜ ଅଞ୍ଚଳରେ ପଢ଼ିପାରିବେ ସେଥିପାଇଁ ଭିନ୍ନ ଏକ ପଦ୍ଧତି ଆପଣାଇଛନ୍ତି ଏଇ ଶିକ୍ଷକଜଣକ।

ଲୋକାଲ୍ କେବୁଲ୍ ଟିଭି ଚ୍ୟାନେଲରେ ପିଲାଙ୍କୁ ପାଠ ପଢ଼ା ଆରମ୍ଭ କରିଛନ୍ତି ସୂର୍ଯ୍ୟନାରାୟଣ ସାହୁ। ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ସଂଯୋଗ ସମସ୍ୟାର ସମାଧାନ ପାଇଁ ସେ ନିଜସ୍ଵ ଖର୍ଚ୍ଚରେ ଆବଶ୍ୟକ ଉପକରଣ କିଣି ବା ଯୋଗାଡ଼ କରି ଆରମ୍ଭ କରିଛନ୍ତି ଏହି ପ୍ରକ୍ରିୟା। ଘରେ ବସି ମାଇକ୍, ବ୍ୟକ୍ତିଗତ ଟାବଲଏଟ୍ ଯୋଗେ ଶ୍ରେଣୀ ଶିକ୍ଷାଦାନ ଭଳି ସେ ପିଲାଙ୍କୁ ପଢ଼ାଉଛନ୍ତି ଯାହାକୁ ପିଲାଏ ଲୋକାଲ୍ କେବୁଲ୍ ଟିଭି ଚ୍ୟାନେଲ୍‌ରେ ଦେଖି ପାଠ ଶିଖୁଛନ୍ତି। ଧରାକୋଟ ବ୍ଲକ୍‌ର ଅନେକ ପଞ୍ଚାୟତରେ ଏବେ ହାଇସ୍କୁଲ, ପ୍ରାଥମିକ ବିଦ୍ୟାଳୟର ହଜାର ହଜାର ପିଲାଏ ସୂର୍ଯ୍ୟ ସାରଙ୍କ ଏହି ପଦ୍ଧତି ଯୋଗୁଁ ଉପକୃତ ହୋଇପାରୁଛନ୍ତି। ଅର୍ଥ ଅଭାବରୁ ଦାମୀ ମୋବାଇଲ୍, ଡାଟା ବା ନେଟ୍ ପ୍ୟାକ୍ ରିଚାର୍ଜ, ଦୁର୍ବଳ ଇଣ୍ଟରନେଟ୍ ସଂଯୋଗ ବା ଆଦୌ ନେଟ୍ ନଥିବା ସମସ୍ୟା ଆଉ ପିଲାଙ୍କ ପାଇଁ ବାଧକ ସାଜୁନି। ସେ ବିଭିନ୍ନ ଶ୍ରେଣୀ ଓ ଅଲଗା ଅଲଗା ବିଷୟ ପାଇଁ ଭିନ୍ନ ଭିନ୍ନ ସମୟ ଧାର୍ଯ୍ୟ କରିଛନ୍ତି। ତାଙ୍କ ଶିକ୍ଷାଦାନ ସିଧାସଳଖ ପ୍ରସାରଣ କରୁଛନ୍ତି ଲୋକାଲ୍ କେବୁଲ୍ ଚ୍ୟାନେଲ୍ କର୍ତ୍ତୃପକ୍ଷ। ପ୍ରଧାନଶିକ୍ଷକଙ୍କ ଏଭଳି ନିଆରା ପଦ୍ଧତି ଯେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ସହାୟକ ହୋଇପାରୁଛି ତାହା ନିଶ୍ଚିତ।

Comments are closed.