ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ, କହିଥିଲେ ୨୧୬ କୋଟି ଡୋଜ୍ ଦିଆଯିବ, ଏବେ କହୁଛନ୍ତି ୧୩୫ କୋଟି ଡୋଜ୍ ଉପଲବ୍ଧ

ନୂଆଦିଲ୍ଲୀ: ଦେଶରେ ଟିକାକରଣ ନେଇ ୟୁ-ଟର୍ଣ୍ଣ କରିଛନ୍ତି କେନ୍ଦ୍ର ସରକାର । ମେ’ରେ ସରକାର କହିଥିଲେ ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ୨୧୬ କୋଟି ଟିକା ଡୋଜ୍ ଉପଲବ୍ଧ ହେବ । ହେଲେ ଶନିବାର ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ସରକାର ବର୍ଷ ଶେଷ ସୁଦ୍ଧା କେବଳ ୧୩୫ କୋଟି ଡୋଜ୍ ମିଳିବ ବୋଲି କହିଛନ୍ତି ।

ମେ’ରେ ଯେତେବେଳେ ଦେଶରେ ଟିକା ଅଭାବ ଦେଖା ଦେଇଥିଲା, ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍ ଦେଶବାସୀଙ୍କୁ ଆଶା ଦେଖାଇ କହିଥିଲେ ଯେ, ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୨୧୬ କୋଟି ଡୋଜ୍ ପ୍ରସ୍ତୁତ ହୋଇସାରିଥିବ । ଡବ୍ଲୁଏଚ୍‌ଓ ଓ ବିଦେଶରେ ମଞ୍ଜୁରିପ୍ରାପ୍ତ ଟିକାକୁ ମଧ୍ୟ ଭାରତ ଅଣାଯିବ । ଡିସେମ୍ବର ସୁଦ୍ଧା କୋଭିଶିଲ୍ଡର ୭୫ କୋଟି ଏବଂ କୋଭାକ୍ସିନର ୫୫ କୋଟି ଟିକା ମିଳିବ ବୋଲି ସରକାର କହିଥିଲେ । ତେବେ ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ସରକାର କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା କୋଭିଶିଲ୍ଡର ୫୦ କୋଟି ଏବଂ କୋଭାକ୍ସିନର ୪୦ କୋଟି ଟିକା ଉପଲବ୍ଧ ହେବ । ସ୍ପୁଟନିକ-ଭି’ର ଟିକା ସଂଖ୍ୟା ମଧ୍ୟ କମାଇଛନ୍ତି ସରକାର । ୧୫.୬ କୋଟିରୁ ଡିସେମ୍ବର ସୁଦ୍ଧା ଏହି ରୁଷୀୟ ଟିକାର ୧୦ କୋଟି ଡୋଜ୍ ମିଳିବ ବୋଲି ସତ୍ୟପାଠରେ କୁହାଯାଇଛି ।

ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସବର୍ଗର ଦେଶରେ ୯୩ ରୁ ୯୪ କୋଟି ଲୋକ ଅଛନ୍ତି । ଏହି ବୟସବର୍ଗର ଲୋକଙ୍କ ଟିକାକରଣ ପାଇଁ ଦୁଇଟି ଡୋଜ୍ ହିସାବରେ ୧୮୮ରୁ ୧୮୬ କୋଟି ଡୋଜ୍ ଆବଶ୍ୟକ । ଏଥିମଧ୍ୟରୁ ୫୧.୬ କୋଟି ଡୋଜ୍ ଜୁଲାଇ ୩୧ ସୁଦ୍ଧା ରାଜ୍ୟମାନଙ୍କୁ ଦିଆଯିବ । ଏହାପରେ ସବୁ ଲୋକଙ୍କ ଟିକାକରଣ ପାଇଁ ଆଉ ୧୩୫ କୋଟି ଡୋଜ୍ ଦରକାର ପଡିବ ବୋଲି ସରକାର କହିଛନ୍ତି । ଖୁବଶୀଘ୍ର ୧୨ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଟିକା ଉପଲବ୍ଧ ହେବ ବୋଲି ସରକାର ସୁପ୍ରିମକୋର୍ଟକୁ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କୋଭିଡ୍ ପରିଚାଳନା ନେଇ ମେ ୩୧ରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ । ଏହାର ଜବାବରେ କେନ୍ଦ୍ର ସରକାର ଶନିବାର ସର୍ବୋଚ୍ଚ ନ୍ୟାୟାଳୟରେ ୩୭୫ ପୃଷ୍ଠା ସମ୍ବଳିତ ଏକ ସତ୍ୟପାଠ ଦାଖଲ କରିଛନ୍ତି । କୋର୍ଟ ସବୁ ବୟସ ବର୍ଗର ଲୋକଙ୍କ ଟିକାକରଣ ନେଇ ପ୍ରସ୍ତୁତି ସମ୍ପର୍କରେ ସରକାରଙ୍କ ଠାରୁ ଜବାବ ଲୋଡିଥିଲେ ।

Comments are closed.