ଗୁଜବରେ ବିଶ୍ୱାସ ନ କରି ଟିକା ନେବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: କରୋନା ଟିକା ନେଇ ଗୁଜବ ଉପରେ ବିଶ୍ୱାସ ନ କରି ସମସ୍ତେ ଟିକା ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି । ମୁଁ ଓ ମୋ ଶହେ ବର୍ଷର ମାଆ ମଧ୍ୟ ଟିକାର ଉଭୟ ଡୋଜ୍ ନେଇଛୁ । ଆପଣମାନେ ସମସ୍ତେ ଟିକା ନିଅନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ଟିକା ନେବାକୁ କୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ରେ ଲୋକଙ୍କୁ ଆହ୍ୱାନ କରିଛନ୍ତି ।
ମୋଦି କହିଛନ୍ତି, ଟିକାକୁ ନେଇ କୌଣସି ନକାରାତ୍ମକ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ । ଯେଉଁମାନେ ଏଭଳି ଗୁଜବ ସୃଷ୍ଟି କରୁଛନ୍ତି ସେମାନଙ୍କ ପ୍ରତି କର୍ଣ୍ଣପାତ ନ କରି ଆମେ ନିଜର ଓ ଆମ ଆଖପାଖର ଲୋକଙ୍କ ଟିକାକରଣ କରିବା ଉଚିତ । କୋଭିଡ୍‌-୧୯ର ବିପଦ ଏବେ ବି ରହିଛି । ଟିକା ନେବା ସହ ଆମକୁ କୋଭିଡ୍ ନିୟମ ମାନି ଚଳିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଟିକାକୁ ନେଇ କିଛି ଲୋକ ଭୟଭୀତ ହୋଇଯାଆନ୍ତି । ଟିକା ନେବା ପରେ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦିଏ । କିନ୍ତୁ ଏଥିପାଇଁ ଭୟ କରିବାର କାରଣ ନାହିଁ । ଭୟ ଛାଡ଼ି ଟିକା ନିଅନ୍ତୁ । ଟିକା ନ ନେବା ଆମ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ ବୋଲି ମୋଦି କହିଛନ୍ତି ।
ଦେଶରେ ଟିକାକରଣ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ଶନିବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ଦେଶରେ ଗତ ୬ ଦିନ ମଧ୍ୟରେ ୩.୭୭ କୋଟି ଟିକା ଡୋଜ୍ ଦିଆଯାଇଛି, ଯାହା ମାଲେସିଆ, ସାଉଦି ଆରବ ଓ କାନାଡାର ଜନସଂଖ୍ୟା ଠାରୁ ଅଧିକ । ଟିକାକରଣ ଗତିରେ ମୋଦି ସନ୍ତୋଷ ପ୍ରକାଶ କରିଥିଲେ । ତଥାପି ଏହାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଏନ୍‌ଜିଓ ମାନଙ୍କ ସହାୟତା ନେବାକୁ ପରାମର୍ଶ ଦେଇଥିଲେ ।

Comments are closed.