ପୁଣି ମିଲିଟାରୀ ଷ୍ଟେସନ ଉପରେ ଉଡ଼ିଲା ଡ୍ରୋନ୍‌, ଫାୟାରିଂ ପରେ ଅଦୃଶ୍ୟ

ଜମ୍ମୁ: ବାୟୁସେନା ବିମାନ ଘାଟିରେ ଡ୍ରୋନ୍ ଆକ୍ରମଣର ଦିନକ ପରେ ପୁଣି ଏଠାରେ ଏକ ମିଲିଟାରୀ ଷ୍ଟେସନ୍ ଉପରେ ଦୁଇଟି ଡ୍ରୋନ୍ ଉଡ଼ିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ଡ୍ରୋନ୍ ଉଡ଼ୁଥିବା ଦେଖି ସେନାବାହିନୀ ପକ୍ଷରୁ ଫାୟାରିଂ କରାଯାଇ ତାକୁ ଖସାଇବା ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ଦୁଇ ଡ୍ରୋନ୍ ରାତିର ଅନ୍ଧାର ମଧ୍ୟରେ ଅଦୃଶ୍ୟ ହୋଇଯାଇଥିଲେ ।

ଗତକାଲି ଜମ୍ମୁର କାଲୁଚକ ମିଲିଟାରୀ ଷ୍ଟେସନ ଉପରେ ରାତି ପ୍ରାୟ ୧୧ଟା ୩୦ ମିନିଟରେ ଦୁଇଟି ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଥିଲା । ପରେ ରାତି ସାଢ଼େ ଗୋଟାଏରେ ଉକ୍ତ ଦୁଇ ଡ୍ରୋନ୍ ପୁଣି ସେହି ଅଞ୍ଚଳ ପାଖରେ ଘୁରି ବୁଲୁଥିଲା । ଏହା ଜଣାପଡିବ ପରେ ଉକ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଥିଲା ଏବଂ ସେନାର କୁଇକ୍ ରିଆକ୍ସନ୍ ଟିମ୍ ସେହି ଦୁଇ ଡ୍ରୋନ୍ ଉପରକୁ ଫାୟାରିଂ କରି ତଳକୁ ଖସାଇବା ପାଇଁ ଉଦ୍ୟମ କରିଥିଲେ । ଫାୟାରିଂ ପରେ ଡ୍ରୋନ୍ ଦୁଇଟି ଦୂରକୁ ପଳାଇଥିଲେ । ଏକ ସମ୍ଭାବ୍ୟ ଆକ୍ରମଣ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଥିଲେ ସେନା ବାହିନୀ ।

ଗତକାଲି ଜମ୍ମୁ ବାୟୁସେନା ବିମାନଘାଟି ଉପରେ ଡ୍ରୋନ୍ ଦ୍ୱାରା ଦୁଇଟି ବିସ୍ଫୋରଣ କରାଯାଇଥିଲା । ଏଥିରେ ଏକ କୋଠା ଛାତ ଉଡ଼ିଯାଇଥିବା ବେଳେ ଦୁଇଜଣ ବାୟୁସେନା ଯବାନ ସାମାନ୍ୟ ଆହତ ହୋଇଥିଲେ । ପାକିସ୍ତାନ ପଟୁ ଆତଙ୍କବାଦୀଙ୍କ ଦ୍ୱାରା ଏଭଳି ଆକ୍ରମଣ ଯୋଜନା କରାଯାଇଥିବା ସନ୍ଦେହ କରାଯାଉଛି । ବାୟୁସେନାର ଏକ ଉଚ୍ଚସ୍ତରୀୟ ଟିମ୍ ଏହି ଘଟଣାର ତଦନ୍ତ କରୁଛି ।

Comments are closed.