ସ୍ପଷ୍ଟ କଲେ ଗାଙ୍ଗୁଲି, ୟୁଏଇ ସ୍ଥାନାନ୍ତର ହେବ ଟି୨୦ ବିଶ୍ୱକପ୍

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁଁ ଭାରତରୁ ସ୍ଥାନାନ୍ତର ହେବ ଟି୨୦ ବିଶ୍ୱକପ୍ । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହା ସ୍ପଷ୍ଟ କରିଛନ୍ତି । ଏହି ମେଗା ଇଭେଣ୍ଟ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାର ଅଛି ।

ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି ଯେ, ଟି୨୦ ବିଶ୍ୱକପକୁ ୟୁଏଇ ସ୍ଥାନାନ୍ତର ପାଇଁ ଆମେ ଆନୁଷ୍ଠାନିକ ଭାବେ ଆଇସିସିକୁ ଜଣାଇଛୁ । ଏହି ଇଭେଣ୍ଟ ସମ୍ପର୍କିତ କାର୍ଯ୍ୟସୂଚୀ ଚୂଡାନ୍ତ କରାଯାଉଛି ।

ଟି୨୦ ବିଶ୍ୱକପ୍ ଭାରତରେ ହେବାର ଥିଲା । କିନ୍ତୁ ଗମ୍ଭୀର କୋଭିଡ୍‌-୧୯ ସ୍ଥିତି ଯୋଗୁଁ ଭାରତରେ ଏହି ଇଭେଣ୍ଟ ଆୟୋଜନ କରିବା କଷ୍ଟକର ହୋଇପଡିଥିଲା । ଚଳିତ ମାସ ଆରମ୍ଭରେ ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ଏହି ଟୁର୍ଣ୍ଣାମେଣ୍ଟ ଉପରେ ନିଷ୍ପତ୍ତି ନେବାକୁ ବିସିସିଆଇକୁ ଚାରି ସପ୍ତାହ ସମୟ ଦେଇଥିଲା ଆଇସିସି ।

ୟୁଏଇରେ ଅକ୍ଟୋବର ୧୭ରୁ ଟି୨୦ ବିଶ୍ୱକପ୍ ଆରମ୍ଭ ହୋଇପାରେ । ଏନେଇ ଖୁବଶୀଘ୍ର ଆଇସିସି ପକ୍ଷରୁ ଔପଚାରିକ ଘୋଷଣା କରାଯିବା ସମ୍ଭାବନା ରହିଛି ।

Comments are closed.