ଟ୍ୱିଟରରେ ପ୍ରଦର୍ଶିତ ଭାରତ ମାନଚିତ୍ରରେ ଜମ୍ମୁ-କାଶ୍ମୀର, ଲଦାଖ ନାହିଁ, ହୋଇପାରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ନେଇ ଭାରତ ସରକାରଙ୍କ ସହ ମୁହାଁମୁହିଁ ସ୍ଥିତିରେ ଥିବା ଟ୍ୱିଟର ଏବେ ଭାରତର ମାନଚିତ୍ରକୁ ଭୁଲ ଭାବେ ପ୍ରଦର୍ଶିତ କରି ନୂଆ ବିବାଦ ସୃଷ୍ଟି କରିଛି । ଟ୍ୱିଟରର ‘ଟ୍ୱିପ୍ ଲାଇପ୍‌’ ବିଭାଗରେ ପ୍ରଦର୍ଶିତ ହେଉଥିବା ଭାରତର ମାନଚିତ୍ରରେ ଜମ୍ମୁ-କାଶ୍ମୀର ଓ ଲଦାଖ ନାହିଁ । ଜମ୍ମୁ-କାଶ୍ମୀର ଓ ଲଦାଖକୁ ଅଲଗା ଦେଶ ଭାବେ ପ୍ରଦର୍ଶିତ କରାଯାଇଛି । ଭାରତର ଏଭଳି ଭୁଲ ମାନଚିତ୍ର ନେଇ ଜଣେ ୟୁଜର ଦୃଷ୍ଟି ଆକର୍ଷଣ କରିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୂତ୍ରରୁ ପ୍ରକାଶ ଯେ ଭାରତର ଏଭଳି ବିକୃତ ମାନଚିତ୍ର ପାଇଁ ଟ୍ୱିଟର ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ।

ପୂର୍ବରୁ ନୂଆ ଆଇଟି ନିୟମ ନେଇ ଟ୍ୱିଟର ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି । ନିକଟରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟ୍‌କୁ ଟ୍ୱିଟର ଘଣ୍ଟାଏ ବ୍ଲକ୍ କରି ଭାରତ ସରକାରଙ୍କୁ ପୁଣି ଖୋଲା ଚାଲେଞ୍ଜ୍ ଦେଇଥିଲା ।

ଆଇଟି ନିୟମ ପାଳନ କରିନଥିବାରୁ ନିକଟରେ କେନ୍ଦ୍ର ସରକାର ଟ୍ୱିଟର ଠାରୁ ଆଇନଗତ ସୁରକ୍ଷା ପ୍ରତ୍ୟାହାର କରିଥିଲେ । ଏହି ବିବାଦ ମଧ୍ୟରେ ଟ୍ୱିଟର ପକ୍ଷରୁ ନିଯୁକ୍ତ ହୋଇଥିବା ଅଭିଯୋଗ ନିବାରଣ ଅଧିକାରୀ ଧର୍ମେନ୍ଦ୍ର ଚତୁର ତାଙ୍କ ପଦରୁ ଗତକାଲି ଇସ୍ତଫା ଦେଇଛନ୍ତି ।

Comments are closed.