ଶିକ୍ଷାବିତ୍‌ଙ୍କ ମିଶନ୍, ଲଣ୍ଡା ପାହାଡ଼ରେ ଭରିଲା ସବୁଜିମା

ସେ ଜଣେ ଶିକ୍ଷାବିତ୍। ଜଣେ ପରିବେଶପ୍ରେମୀ ବୁଦ୍ଧିଜୀବୀ ଭାବେ ଅଞ୍ଚଳରେ ଜଣାଶୁଣା। ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ସହ କିଛି ବର୍ଷ ତଳେ ଆରମ୍ଭ କରିଥିଲେ ସବୁଜ ଅଭିଯାନ। ଯେତେବେଳେ ସେ ପରିଲକ୍ଷିତ କରିଥିଲେ ଯେ ବାତ୍ୟାପ୍ରବଣ ଗଞ୍ଜାମ ଜିଲ୍ଲାର ଅନେକ ପାହାଡ଼ ଓ ସମତଳ ଅଞ୍ଚଳ ଝଡ଼ବତାସ ପ୍ରକୋପରେ କ୍ରମେ ସବୁଜିମାହୀନ ହେବାରେ ଲାଗିଛି। ଏଥିପାଇଁ ସେ ନିଜ ଆୟର ସିଂହଭାଗ ଖର୍ଚ୍ଚ କରିବାରେ ଲାଗିଛନ୍ତି। ଆଉ ତାଙ୍କର ନିଷ୍ଠାପର ଓ ନିରନ୍ତର ପ୍ରୟାସ ହେତୁ ଏବେ ଜିଲ୍ଲାର ପ୍ରାୟ ୧୦ଟି ଛୋଟ ବଡ଼ ପାହାଡ଼ ଓ ମୁଣ୍ଡିଆ ଅଞ୍ଚଳ ଗଛଲତାରେ ଭରିଗଲାଣି। ତାହାର ରଙ୍ଗ ଧୂସର ଓ ମାଟିଆରୁ ସବୁଜରେ ବଦଳିବାକୁ ଲାଗିଲାଣି। ସେଇ ମଣିଷ ଜଣକ ହେଉଛନ୍ତି ଜଣେ ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧିର ରାଉତ। ଫୋରମ୍ ଫର ଗଞ୍ଜାମ, ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍ ସମେତ ଅନେକ ସାମାଜିକ ଓ ସ୍ବେଚ୍ଛାସେବୀ ସଙ୍ଗଠନ ସହ ଜଡ଼ିତ ସେ। କେବଳ ଚାରାରୋପଣ ନୁହେଁ, ବରଂ ପରିବେଶ ସୁରକ୍ଷା ଓ ଜଳ ଉତ୍ସ ସଂରକ୍ଷଣ ଭଳି ଅନେକ ସାମାଜିକ ସେବା କାର୍ଯ୍ୟରେ ନିଜକୁ ସମ୍ପୃକ୍ତ ରଖି ଆସିଛନ୍ତି ସେ।

ନିକଟରେ ସେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପଦଯାତ୍ରା ପରିକ୍ରମା ଆରମ୍ଭ କରିଛନ୍ତି। ଦୈନିକ ୧୦ କିମି ଚାଲୁଛନ୍ତି, ଅଞ୍ଚଳବାସୀଙ୍କୁ ଭେଟୁଛନ୍ତି। ଗଛ ଲଗାଇବା ସହ ପ୍ରକୃତିର କିଭଳି ଯତ୍ନ ନେବା, ଚାରାରୋପଣ ଓ ଗଛର ଯତ୍ନ ନେବାର ଉପକାରିତା ଜଳାଶୟର ସଂରକ୍ଷଣ, ପଲିଥିନ୍‌ ବର୍ଜନ ନେଇ ଲୋକଙ୍କୁ ବୁଝାଉଛନ୍ତି। ନିଜକୁ ଚଳନ୍ତା ପ୍ରଚାର ମାଧ୍ୟମ କରିଛନ୍ତି ସେ। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଧବନ୍ଧ ଗ୍ରାମର ମୂଳବାସିନ୍ଦା ସୁଧିର ରାଉତ ବର୍ତ୍ତମାନ ବ୍ରହ୍ମପୁରରେ ରହୁଛନ୍ତି। ୫୯ ବର୍ଷ ବୟସ୍କ ଏହି ବ୍ୟକ୍ତିଜଣକ ଶିକ୍ଷାଦାନ ବ୍ୟତୀତ ତାଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତିଗତ ସଚେତନତା କାର୍ଯ୍ୟରେ ବିତାଉଛନ୍ତି। କେତେବେଳେ ଚାରାରୋପଣ ତ କେବେ ପଦଯାତ୍ରା, କେବେ ଜଳାଶୟ ସଂରକ୍ଷଣ ନେଇ ସଚେତନତା କାର୍ଯ୍ୟକ୍ରମ ତ ପୁଣି କେବେ ପ୍ଲାଷ୍ଟିକ୍ ବର୍ଜନ ପାଇଁ ବଜାର ଅଞ୍ଚଳରେ ଲୋକଙ୍କୁ ବୁଝାଇବା ସହ କାଗଜ/ ଝୋଟ ବ୍ୟାଗ୍ ବାଣ୍ଟୁଥିବା ଦେଖିବାକୁ ମିଳେ।

ପାହାଡ଼ରେ ଗଛ ଲଗାଇବା କାଠିକର। ସେଥିପାଇଁ ସେ ଏକ ନିଆରା ପନ୍ଥା ଅବଲମ୍ବନ କରିଥିଲେ। ମାଟିଗୋଳାରେ ବିଭିନ୍ନ କିସମର ଚାରା ଗୋଳି ତାହାକୁ ଗୋଲ୍ ଆକାର କରି ପ୍ରସ୍ତୁତ କରିଥିଲେ ସିଡ୍ ବଲ୍। ବର୍ଷା ଋତୁରେ ହଜାର ହଜାର ସଂଖ୍ୟାରେ ଏଭଳି ସିଡ୍ ବଲ୍ ପାହାଡ଼ିଆ ଅଞ୍ଚଳରେ ଫିଙ୍ଗାଯାଇଥିଲା। ଯେତେବେଳେ ବୃଷ୍ଟିପାତ ହୋଇଥିଲା ସେତେବେଳେ ମାଟି ସହ ପାଣି ପାଇ ଏଭଳି ଚାରା ଧିରେ ଧିରେ ଗଛ ହୋଇଥିଲା। ଆଉ ପିତାତଳି, ଟାମଣା ଅଞ୍ଚଳର ପାହାଡ଼ଗୁଡ଼ିକରେ ଭରି ଯାଇଥିଲା ସବୁଜିମା। ଏଥିପାଇଁ ଗତ ଦେଢ଼ ଦଶନ୍ଧି ଧରି ସେ ବେଶ୍ ଧୈର୍ଯ୍ୟର ସହ କାମ କରି ଆସିଛନ୍ତି। ଉଲ୍ଲେଖନୀୟ ଭାବେ ସେ ନିଜ ପ୍ରୟାସରେ ଏକାକୀ ନଥିଲେ, ବରଂ ନିଜ ସହ ବିଭିନ୍ନ ସଙ୍ଗଠନର ସେଚ୍ଛାସେବୀ, ପରିବେଶପ୍ରେମୀ, ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀଙ୍କୁ ଯୋଡ଼ି ଏହାକୁ ସାମୂହିକ ରୂପ ଦେବାର ସଫଳ ପ୍ରୟାସ କରିଥିଲେ। ତାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ବିଭିନ୍ନ ସଙ୍ଗଠନ ଏବେ ଏ ଦିଗରେ ଅଧିକ ପ୍ରୟାସରତ ଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲାର ଉପକୂଳ ଅଞ୍ଚଳକୁ ପୁଣି ସବୁଜିମାରେ ଭରିଦେବା ପାଇଁ ଦୀର୍ଘ ଲକ୍ଷ୍ୟ ରଖି ଆଗେଇ ଚାଲିଛନ୍ତି ସୁଧିର ରାଉତ।

କେବଳ ଗଛ ଲଗାଇବା ନୁହେଁ, ତାହାର ଯତ୍ନ ନେବା ପାଇଁ ଲୁହା ଜାଲି ଓ ବାଉଁଶ ବେଡ଼ା ଘେରାଇବା, ପାଣି ଦେବା ଆଦି କାର୍ଯ୍ୟ ମଧ୍ୟ କରି ଆସୁଛନ୍ତି ସେ। ସେଥିପାଇଁ ତାଙ୍କୁ ଅନେକ ଲୋକ ଏବେ ଗ୍ରୀନ୍ ମ୍ୟାନ୍ ବା ସବୁଜ ମଣିଷ କହିବାକୁ ଲାଗିଲେଣି। ସୁଧୀର ରାଉତ କହନ୍ତି- ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ ସକାଶେ ଏକ ନିଆରା ଚିନ୍ତାଧାରା ତଥା ସମ୍ମିଳିତ ପ୍ରୟାସ ଆବଶ୍ୟକ। ସିଡ୍ ବଲ୍ ରୋପଣ କ୍ଷେତ୍ରରେ ଆମକୁ ୪୦ ପ୍ରତିଶତ ସଫଳତା ମିଳିପାରୁଛି। କମ୍ ସମୟ ଓ କମ୍ ଶ୍ରମରେ ଅଧିକ ଅଞ୍ଚଳକୁ ସବୁଜିମାରେ ଭରି ହେଉଛି। ସହରାଞ୍ଚଳରେ ଚାରାରୋପଣ ସହ ଲୋକେ ଜଳାଶୟ ସଂରକ୍ଷଣ, ପଲିଥିନ୍ ବର୍ଜନ ଆଦି ଏକାଧିକ ଉପାୟ ଅବଲମ୍ବନ କରି ପ୍ରକୃତିକୁ ପରବର୍ତ୍ତୀ ପିଢ଼ି ପାଇଁ ସୁରକ୍ଷିତ ରଖିପାରିବେ। ଏଥିପାଇଁ ବ୍ୟାପକ ଜନସଚେତନତା ମଧ୍ୟ ଆବଶ୍ୟକ।

Comments are closed.