ଖେଳରତ୍ନ ପାଇଁ ଅଶ୍ୱିନ ଓ ମିତାଲିଙ୍କ ନାମ ସୁପାରିସ କଲା ବିସିସିଆଇ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ବିସିସିଆଇ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ମହିଳା ଦିନିକିଆ ଦଳର କ୍ୟାପଟେନ ମିତାଲି ରାଜଙ୍କ ନାମ ସୁପାରିସ କରିଛି । ଅନ୍ୟପକ୍ଷେ କେଏଲ ରାହୁଲ, ଯଶପ୍ରୀତ ବୁମରା ଓ ଶିଖର ଧାୱନଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ପଠାଯାଇଛି ।

ଜାତୀୟ କ୍ରୀଡ଼ା ପୁରସ୍କାର-୨୦୨୧ ପାଇଁ ଆବେଦନ ପଠାଇବାର ସମୟ ସୀମାକୁ ନିକଟରେ କ୍ରୀଡ଼ା ମନ୍ତ୍ରାଳୟ ବୃଦ୍ଧି କରିଥିଲା ।
ଖେଳରତ୍ନ ପୁରସ୍କାର ପାଇଁ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ର ବି ଦୌଡ଼ରେ ଅଛନ୍ତି । ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ୍‌) ତାଙ୍କ ନାମ ଏହି ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇଁ ପଠାଇଛି । ଓଡ଼ିଶା ସରକାର ଗତକାଲି ଜାତୀୟ ରେକର୍ଡଧାରୀ ଧାବିକା ଦୂତୀ ଚାନ୍ଦଙ୍କ ନାମ ଏହି ପୁରସ୍କାର ପାଇଁ ସୁପାରିସ କରିଥିଲେ ।

ଗତବର୍ଷ କ୍ରିକେଟର ରୋହିତ ଶର୍ମାଙ୍କ ସମେତ ପାଞ୍ଚ ଜଣଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । ସଚିନ ତେନ୍ଦୁଲକର, ଏମ୍‌ଏସ୍ ଧୋନି ଓ ବିରାଟ କୋହଲିଙ୍କ ପରେ ରୋହିତ ଚତୁର୍ଥ କ୍ରିକେଟର ଭାବେ ଖେଳରତ୍ନ ପୁରସ୍କାର ପାଇଥିଲେ ।

Comments are closed.