ଏଲୋପାଥି ବନାମ ଆୟୁର୍ବେଦ: ନିଜ ସାକ୍ଷାତକାରର ମୂଳ ଭିଡ଼ିଓ ଦାଖଲ କରିବାକୁ ରାମଦେବଙ୍କୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସା ଉପରେ ବିବାଦୀୟ ମନ୍ତବ୍ୟ ନେଇ ବୁଧବାର ସୁପ୍ରିମକୋର୍ଟରେ ବାବା ରାମଦେବଙ୍କ ଆବେଦନର ଶୁଣାଣି ହୋଇଛି। ଅଦାଲତ ରାମଦେବଙ୍କୁ ତାଙ୍କର ସେହି ମୂଳ ଭିଡିଓ ଦାଖଲ କରିବାକୁ କହିଛନ୍ତି ଯେଉଁଥିରେ ସେ ଏଲୋପାଥି ଚିକିତ୍ସା ବିରୋଧରେ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ।

ଏକ ସାକ୍ଷାତକାରରେ ବାବା ରାମଦେବ ଏଲୋପାଥି ଏବଂ ଏଲୋପାଥିକ ଡାକ୍ତରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ରାମଦେବଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଛନ୍ତି ଯେ ସ୍ୱାମୀଜୀ ପୂର୍ବରୁ ସ୍ପଷ୍ଟୀକରଣ ଦେଇସାରିଛନ୍ତି। ଡାକ୍ତରଙ୍କ ପ୍ରତି ତାଙ୍କର ସମ୍ପୂର୍ଣ୍ଣ ସମ୍ମାନ ରହିଛି । ଗତ ବର୍ଷ ଯେତେବେଳେ ପତଞ୍ଜଳି କରୋନିଲ ଔଷଧ ବାହାର କରିଥିଲେ ଏବଂ ଡାକ୍ତରମାନେ ଏହାକୁ ବିରୋଧ କରିଥିଲେ, ସେତେବେଳେ ସେ ଏହି ଔଷଧକୁ ବଜାରରୁ ପ୍ରତ୍ୟାହାର କରିଥିଲେ। ସମସ୍ତଙ୍କର ମତ ପ୍ରକାଶ କରିବାର ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଅଛି | ଭାଇରାଲ ହୋଇଥିବା ଭିଡିଓଟି ଏକ ଆଂଶିକ ଭିଡିଓ ଥିଲା | ମୁକୁଲ ରୋହତଗୀ କହିଛନ୍ତି ଯେ ବାବା ରାମଦେବଙ୍କ ଭାଇରାଲ ହୋଇଥିବା ଭିଡିଓ ଠିକ ନୁହେଁ, ଆମେ କୋର୍ଟରେ ସଠିକ୍ ଭିଡିଓ ଦାଖଲ କରିବୁ।

ରାମଦେବଙ୍କ ବିରୋଧରେ ଦେଶର ବିଭିନ୍ନ ସହରରେ ରୁଜୁ ହୋଇଥିବା ଏଫଆଇଆରକୁ ଏକାଠି କ୍ଲବ୍ କରାଯାଇ ଦିଲ୍ଲୀ ସ୍ଥାନାନ୍ତର କରାଯାଉ ବୋଲି ରାମଦେବଙ୍କ ଓକିଲ ମୁକୁଲ ରୋହତଗୀ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି । ବାବା ରାମଦେବଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନ ଜୁଲାଇ ୫ରେ ଶୁଣାଣି ହେବ। ଯୋଗ ଗୁରୁ ବାବା ରାମଦେବ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯେଉଁଥିରେ ସେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରଗୁଡ଼ିକୁ ଏକାଠି କରି ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ।

Comments are closed.